Unknown

 

 

 

 

 

 

 

 

 

 

 

ପ୍ରେମର ଅନେକ ରଙ୍ଗ

ଶ୍ରଦ୍ଧାକର ସୂପକାର

 

ସୂଚୀପତ୍ର

 

୧.

ପ୍ରେମର ଅନେକ ରଙ୍ଗ

୨.

ତୁମକୁ ମୁଁ ଭଲପାଏଁ

୩.

ମଧୁ ଯାମିନୀ

୪.

ଆକର୍ଷଣ

୫.

ମେଘଦୂତ

୬.

ଯୌବନ-ପ୍ରତୀକ୍ଷା

୭.

ଅଙ୍ଗେ ନିଭେଇବା କଥା

୮.

ଚାପୀୟ ତ୍ରିକୋଣମିତି

୯.

ପ୍ରିୟତମାର ଘୁଙ୍ଗୁଡ଼ି

୧୦.

ଅଗ୍ରିମ

୧୧.

ତୁମେ କି ଫେରିବ କବି ?

୧୨.

ଦୁଇଟି ଦିନ-ଦୁଇଟି ଆତ୍ମା

୧୩.

କୋହେତୁକ-ଧୂମକେତୁ ପ୍ରତି

୧୪.

ନବ ବର୍ଷ

୧୫.

ବିଦାୟ ଗୀତିକା

୧୬.

କୋଣାର୍କର ଘୋଡ଼ା

୧୭.

ପୁଷ୍‌ ପୁନି

☆☆☆

 

ମୁଖବନ୍ଧ

 

ଦସ୍ୟୁବୃତ୍ତି ଓ ନରହତ୍ୟାରେ ଜୀବିକା ନିର୍ବାହ କରୁଥିବା ରତ୍ନାକରଙ୍କ ହୃଦୟ ଦିନେ ନିଷାଦ-ଶର-ବିଦ୍ଧ କ୍ରୌଞ୍ଚର ରକ୍ତ ଦେଖି କ୍ରୌଞ୍ଚବଧୂର ସମବେଦନାର କାତର ହୋଇ କବିତା ରୂପେ ପ୍ରକାଶିତ ହେଲା । ମାନବ ହୃଦୟର ଗଭୀର ଭାବର ଉଚ୍ଛ୍ୱାସ ଓ ନିର୍ଯାସ ଥିଲା କବିତା । କବି-ପ୍ରତିଭା ବିଶ୍ୱର ଶାଶ୍ୱତ ଓ ମୌଳିକ ସତ୍ୟକୁ ସଙ୍ଗୀତ ରୂପ ଦେଉଥିଲା, କାବ୍ୟ ରୂପ ଦେଉଥିଲା । ସହସ୍ର ସହସ୍ର ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ଭାଷାରେ କବିତାର କେତେ ବିବର୍ତ୍ତନ ହୋଇଛି । କାବ୍ୟ ଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ରର ନୀତି ନିୟମର ବନ୍ଧନରୁ ମୁକ୍ତ ହୋଇ ଦିନେ କବି ତା’ର ଭାବକୁ ଭାଷା ଦେଉଥିଲା । ଆଧୁନିକ କବି ଭାବ, ଭାଷା, ଛନ୍ଦ ଆଦି ସବୁ ବନ୍ଧନ ସବୁ ପାରମ୍ପରିକତାରୁ ମୁକ୍ତ ହୋଇ ସ୍ୱଚ୍ଛନ୍ଦ ଆତ୍ମ ପ୍ରକାଶ କରୁଛି । ହୃଦୟକୁ ସ୍ପର୍ଶ କରିବା ତ ଦୂରର କଥା, ସାଧାରଣ ମାନବର ବୁଦ୍ଧିର ଅଗମ୍ୟ ହୋଇ ମଧ୍ୟ ଉଚ୍ଚକୋଟୀର କବିତା ଲେଖାଯାଇଛି ।

 

ମୋ ଜୀବନରେ ଅନେକ ସୁଖ ଦୁଃଖର ସମୟ ଆସିଛି, ଯେତେବେଳେ ହୃଦୟର ଭାବୋଚ୍ଛ୍ୱାସ କବିତାରୂପେ ପ୍ରକାଶିତ ହେବାକୁ ଚାହୁଁଛି, ସେହି ରସମୟ ମୁହୂର୍ତ୍ତମାନଙ୍କୁ ମୁଁ କବିତାରେ ରୂପାୟିତ କରିବାକୁ ଚେଷ୍ଟା କରିଛି । ବିଂଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିବାରୁ ମୁଁ ମଧ୍ୟ କବିତା ଲେଖେଁ । କବି ହେବାର ଯୋଗ୍ୟତା ମୋର ଅଛି କି ନାହିଁ, ମୁଁ ଜାଣେନାହିଁ; କିନ୍ତୁ କବି-ଯଶ-ପ୍ରାର୍ଥୀ ହେବାର ଇଚ୍ଛା ନ ଥିଲେ ମଧ୍ୟ, ମୋର ରସମୟୀ ଭାବନାମାନ ସୁଧି ସମାଜରେ ପ୍ରକାଶ କରିବାର କର୍ତ୍ତବ୍ୟ ବୋଲି ମୁଁ ଭାବୁଛି ।

 

କବି-ସମ୍ମିଳନୀକୁ ଅନେକ ସମୟରେ ନିମନ୍ତ୍ରଣ ଆସେ । ଅନ୍ୟ ଯୋଗ୍ୟତା ନ ଥିଲେ ମଧ୍ୟ ବୟସ ଦୃଷ୍ଟିରୁ କେତେ କବି ସମ୍ମିଳନୀରେ ସଭାପତିତ୍ୱ କରିବାକୁ ପଡ଼େ । ସେଥିପାଇଁ ଅନେକ ସମୟରେ ଫର୍‌ମାଇସୀ କବିତା ମଧ୍ୟ ଲେଖିବାକୁ ପଡ଼େ । ଆଧୁନିକ କବିତାର ପାଠକ ଓ ସମାଲୋଚକମାନଙ୍କ ମାନଦଣ୍ଡରେ ଓଜନ କଲେ, ସେ କବିତାମାନ କେତେ ହାଲୁକା ବା କେତେ ଓଜନିଆ, ତାହା ପାଠକମାନେ ଜାଣିପାରିବେ । ମୋର କେତେ କବିତାର ଉଚ୍ଛ୍ୱସିତ ପ୍ରଶଂସା ମୁଁ ଶୁଣିଛି । ଏହା ସ୍ତାବକର ପ୍ରଶଂସା ହୋଇପାରେ ।

 

ମୋର ଜୀବନର ଆଦ୍ୟ ଯୌବନରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ମୁଁ ଯେଉଁ କବିତାମାନ ଲେଖିଛି, ସେଥିମଧ୍ୟରୁ ଅଧିକାଂଶକୁ ଏବେ ପୁସ୍ତକାକାରରେ ପ୍ରକାଶ କରିବାକୁ ଚାହୁଁଛି ।

 

ଏ କବିତା ମାନଙ୍କରେ ବିଭିନ୍ନ ରସ ପରିବେଷଣ କରିବାକୁ ଚେଷ୍ଟା କରିଛି । ତେବେ ଏଥିମଧ୍ୟରୁ ଅଧିକାଂଶ କବିତା ପ୍ରେମ କବିତା; ଅବଶ୍ୟ ଏହି ପ୍ରସଙ୍ଗରେ ପ୍ରେମ ଶବ୍ଦକୁ ବ୍ୟାପକ ଅର୍ଥରେ ବୁଝିବାକୁ ମୋର ବିନୀତ ଅନୁରୋଧ । ସେଥିପାଇଁ କବିତା ପୁସ୍ତକର ନାମକରଣ । ପ୍ରେମର ଅନେକ ରଙ୍ଗ କେତେଦୂର ସାର୍ଥକ ଓ ସମୀଚୀନ, ତାହା ସୁଧି ପାଠକ ପାଠିକା ବିଚାର କରିବେ ।

 

ବାଗ୍‌ଦେବୀଙ୍କ ଚରଣାରବିନ୍ଦରେ ନିବେଦିତ ଏହି କବିତା ଅର୍ଘ୍ୟ ସୁଧି ସମାଜରେ ଆଦୃତ ହେଲେ ମୋର ପରିଶ୍ରମ ସାର୍ଥକ ହେବ ।

 

ଏହି କବିତା ପୁସ୍ତିକାର ପାଣ୍ଡୁଲିପି ପାଠକରି ସମ୍ୱଲପୁର ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା ଯେଉଁ ବହୁମୂଲ୍ୟ ମନ୍ତବ୍ୟ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତାଙ୍କଠାରେ କୃତଜ୍ଞ ।

 

ବିନୀତ

ଶ୍ରଦ୍ଧାକାର ସୂପକାର

☆☆☆

 

ମୋତେ ଯେପରି ଲାଗିଲା

 

କବିତା ପାଇଁ ପ୍ରଥମେ ଲୋଡ଼ାହୁଏ ଗୋଟିଏ ଭାବ ବା ଚିନ୍ତା । ସମସ୍ତଙ୍କ ଜୀବନରେ ଛାତି ଥରାଇ ଦୀର୍ଘଶ୍ୱାସ ଛାଡ଼ିବାର ମୁହୂର୍ତ୍ତ ଆସେ; ସେହିପରି ଆସେ ସୁଖ ଆଉ ଆନନ୍ଦର ଉନ୍ମାଦନା । ଦୁଃଖର ଦହନ, ସୁଖର ଉଲ୍ଲାସ, ଜୀବନର ଅନ୍ୟାନ୍ୟ ବହୁ ଉଦାର ସଂକୀର୍ଣ୍ଣ ଅନୁଭବ ଯାହା କ୍ଷଣକପାଇଁ ହୃଦୟକୁ ଆଲୋଡ଼ିତ ମଥିତ କରେ ତାହାହିଁ କବିତାର ପୁଞ୍ଜି । ଏ ଦୃଷ୍ଟିରୁ ସମସ୍ତେ କବି ହୋଇପାରିବେ; କିନ୍ତୁ ଭାଷାରେ ସେହି ଭାବର ପ୍ରମୂର୍ତ୍ତ ରୂପ ସେହି ଉପଲଭ୍ୟ ଭାବପରି ତୁଲ୍ୟ ଗୁରୁତ୍ୱପୂର୍ଣ୍ଣ । କବିତାର ତେଣୁ ଉଭୟ କଥା ସତ୍ୟ; ରୂପ ସ୍ଥାନୀୟ ଭାବୋପଯୋଗୀ ସଂକ୍ଷିପ୍ତସୂଚକ ଶବ୍ଦସମ୍ଭାର ଏବଂ ମନ ଆଉ ହୃଦୟର ନିବିଡ଼ ସଂସ୍ପର୍ଶ ସ୍ତରରୁ ଉତ୍‌ଥିତ ଚିରମନୋରମ ଅର୍ଥ- ଅନ୍ୟ କଥାରେ ଆଙ୍ଗିକ ଓ ଆତ୍ମା । ଏ ଉଭୟର ଭାରସାମ୍ୟ ଏକାନ୍ତ ସ୍ୱାଭାବିକ ହେଲେ ମଧ୍ୟ ବେଳେବେଳେ କୌଣସି ଗୋଟିଏ ଦିଗ ବଳବତ୍ତର ହୋଇଯିବା ଫଳରେ ଅପରଟି ଗୌଣ ହୋଇପଡ଼େ । ଭାବର ପ୍ରବଳ ନିର୍ଝର ଉତ୍ସାରିତ ହୋଇ ଚିତ୍ତଭୂମିକୁ ଆଚ୍ଛନ୍ନ ଆବିଷ୍ଟ କରିଦେବାର ପ୍ରାଣବନ୍ତ ଅବସରରେ ଟେକନିକ୍‌ର ସବୁ ପୋଷାକୀ ଆଡ଼ମ୍ୱର ତା’ର ଗୌରବ ହରାଇବସେ, ଏବଂ ମନେହୁଏ ଏହା ହିଁ ଚିରନ୍ତନ କବିତାର ସାଧାରଣ ଗତି ।

 

ଡକ୍ଟର ଶ୍ରଦ୍ଧକାର ସୂପକାରଙ୍କ କବିତାଗୁଡ଼ିକୁ ପାଠ କଲାବେଳେ ଏହିପରି ମନେହୁଏ । ଉପମା-ଉତ୍‌ପ୍ରେକ୍ଷା ରୂପକ ଅଥବା ଚିତ୍ରକଳ୍ପ-ପ୍ରତୀକର ଘଟା ନାହିଁ, ସ୍ଥାନେ ସ୍ଥାନେ ବିରଳ ପ୍ରକାଶ ମଧ୍ୟରେ ଅଛି ସୌଷ୍ଠବ; କିନ୍ତୁ ସର୍ବତ୍ର ରହିଛି ଏକ ଉଚ୍ଛ୍ୱାସମୟ ଭାବଧାରା, ତାହାର ଆବେଦନ ଭାଷାର ଏକ ପ୍ରକାଶମୟ ଚପଳ ଓ ଚତୁର ସୌଷ୍ଠବକୁ ଗୌଣ କରି ତୋଳିଛି । ଆଳଂକାରିକ କଥାରେ ଏହା ପ୍ରସାଦଗୁଣର କାର୍ଯ୍ୟ । ସହଜରେ ବୁଝିହେଲା ଭଳି କାଠିନ୍ୟଶୂନ୍ୟ କାବ୍ୟିକ ଭାଷା ମଧ୍ୟରେ ପରିବେଷ୍ଟିତ ଚିତ୍ତକୁ ଆବିଷ୍ଟ କଲାଭଳି ଭାବ ଶ୍ରଦ୍ଧାକର ବାବୁଙ୍କ କବିତାର ପ୍ରାଣ । ଏ ଶ୍ରେଣୀର କବିତାରେ ଆଙ୍ଗିକର ଗୌଣତା ଯୋଗୁଁ ଏଥିରେ ନୂତନ ପୁରାତନ ଶୈଳୀ, ପ୍ରକାଶଭଙ୍ଗୀ ବା ଟେକ୍‌ନିକ୍‌ର ବିବାଦ ରହେନାହିଁ, କବିତା ହୁଏ କାଳୋତ୍ତର, ଚିରନ୍ତନ । ଶ୍ରଦ୍ଧାକର ବାବୁଙ୍କ ବହୁ କବିତା ଏ ଶ୍ରେଣୀର; ବରଂ ଅଳ୍ପ କେତୋଟି କବିତା, (ଯଥା- ଅଙ୍ଗେ ନିଭେଇବା କଥା) ଯେଉଁଠାରେ ସେ ତତ୍ତ୍ୱର ଆଧାର ଉପରେ ଭାବର ଚାତୁରୀପୂର୍ଣ୍ଣ ଉପସ୍ଥାପନ ପ୍ରୟୋଗ କରିଛନ୍ତି, ସେଠାରେ ବ୍ୟତିକ୍ରମ ମଧ୍ୟରେ କବିତା ବୌଦ୍ଧିକ ହୋଇପଡ଼ିଛି । ‘ଚାପୀୟ ତ୍ରିକୋଣମିତି’ର ଲାଳିକା, ‘କୋହେତୁକ ଧୂମକେତୁ ପ୍ରତି’ର ଚରୈବତି ଚିନ୍ତା ମଧ୍ୟ ଏକାନ୍ତ ଭାବରେ ବୌଦ୍ଧିକ ।

 

ଏ କବିତା-ଗୁଡ଼ିକ ବିକ୍ଷିପ୍ତ ଭାବର ବାହକ ଏବଂ ବିଭିନ୍ନ ମୁହୂର୍ତ୍ତର ପ୍ରକାଶ ହୋଇଥିଲେ ହେଁ ଏମାନଙ୍କ ମଧ୍ୟରେ ଭାବାତ୍ମକ ସାଧାରଣ ସୂତ୍ର ହେଉଛି ପ୍ରେମ । ‘ପ୍ରେମର ଅନେକ ରଙ୍ଗ’ରେ ସେହି ପ୍ରେମର ବ୍ୟାପକତା ବର୍ଣ୍ଣିତ ହୋଇଛି; ସେହିପରି ‘ତୁମକୁ ମୁଁ ଭଲ ପାଏ’...କବିତାରେ ପ୍ରେମ ଉପରେ କବିଙ୍କୁ ଆତ୍ମନିଷ୍ଠ ଚେତନା ତାଙ୍କୁ ରସିକ ପ୍ରେମିକ, ପ୍ରେମିକ ଭକ୍ତ କରିବା ସହିତ ଗେହ୍ଲାପୁଅ କରିବାର ଇଙ୍ଗିତ ଦେଇଛି । ତଥାପି ‘ଅଭିସାରିକା’, ‘ଆକର୍ଷଣ’, ‘ମଧୁଯାମିନୀ’, ‘ମିଳନ ରଜନୀ’, ‘ଯୌବନ ପ୍ରତୀକ୍ଷା’, ‘ପ୍ରିୟତମାର ଘୁଙ୍ଗୁଡ଼ି’ କବିତାଗୁଡ଼ିକରେ ଯେଉଁ ପ୍ରେମ କବିତାର ଉପଜୀବ୍ୟ, ତନ୍ମଧ୍ୟରେ କବିଙ୍କ ଭାବୋଚ୍ଛ୍ୱାସର ପ୍ରାଣବନ୍ତ ପ୍ରକାଶ ହିଁ ତାଙ୍କ ପ୍ରେମ-ଚେତନାର ଦିଗ୍‌ ନିର୍ଣ୍ଣୟ କରିଥାଏ । ‘ଅଙ୍ଗେ ନିଭାଇବା କଥା’ରେ କବିର ଆତ୍ମଚେତନାରେ ଅଛି ଯେଉଁ ‘‘ଶୁକ୍ଳକେଶ କେତକୀ ହିଁ ପଳିତବଦନ’’, ସେ ବ୍ୟକ୍ତିତ୍ୱ ଏକ ସ୍ୱତନ୍ତ୍ର ପରିପ୍ରେକ୍ଷୀରେ ଆରୋପିତ ଏବଂ ସତ୍ୟମୂଳକ- ଏକାନ୍ତ ଭାବେ ଦେହର ହିଁ ପ୍ରତିକୃତି;–କିନ୍ତୁ ଏ ଦେହର ଅନ୍ତରାଳରେ ଯେଉଁ ତରୁଣ ମନ ଥିଲା, ତାହା ହିଁ ଲେଖୁଥିଲା ‘ଅଙ୍ଗେ ନିଭାଇବା କଥା’ । ବସ୍ତୁତଃ, ଶ୍ରଦ୍ଧାକର ବାବୁଙ୍କ କବିଆତ୍ମାର ଯେଉଁ ରୂପ ଏ କବିତା ମଧ୍ୟରେ ଫୁଟେ ତାହା ଚିରତରୁଣ । ପଳିତକେଶ ସେ ତାରୁଣ୍ୟର ଉଦ୍ଦାମତାକୁ ସଂଯତ ସୀମିତ କରି ପ୍ରେମଚେତନାକୁ କରିଛି ଗମ୍ଭୀର ମନୋହର । ଏ ମଧ୍ୟରେ ପ୍ରକୃତିର ଉପଯୋଗ କରାହୋଇଛି ପ୍ରତୀକଭାବେ । ଅଭିସାରିକା କବିତାଟି ଜ୍ୟୋସ୍ନାର ଅଭିସାର ଆଧାର ଉପରେ ଏକ ସଂପୂର୍ଣ୍ଣ ପ୍ରତୀକ କବିତା; ଅନ୍ୟତ୍ର ‘ଆକର୍ଷଣ’ କବିତାରେ ପ୍ରକୃତିର ପ୍ରତୀକତା ବାସ୍ତବରେ ମନୋରମ ଯଥା :–

 

ସହସ୍ର ଯୋଜନ ଦୂରୁଁ

ଅମାଚନ୍ଦ୍ର ଚାହେଁ ଧରଣୀରେ

ଜଳଧିରେ ଜାଗଇ ଜୁଆର

ଉଚ୍ଛ୍ୱସିତ ତୃଷାତୁର ଊର୍ମିଚୂଡ଼ା

ଫେରିଆସେ ବାରବାର

ବେଳାତଟେ କରେ ହାହାକାର ।

 

ପ୍ରେମର ତ ଅନେକ ରଙ୍ଗ ! କବିଙ୍କ ଜୀବନର ଦେଶପ୍ରେମ ରୂପ ପାଇଛି ‘କୋଣାର୍କର ଘୋଡ଼ା’ କବିତାରେ;- ଜୀବ ସମସ୍ୟା ସହିତ ବିଜଡ଼ିତ ଜାତି-ସମସ୍ୟାର ସେହି ଅମରପୀ କୋଣାର୍କର ଅସମାହିତ ଚିରନ୍ତନ ପ୍ରଶ୍ନର ସମାଧାନ ଖୋଜିଛନ୍ତି କବି କୋଣାର୍କର ଘୋଡ଼ାକୁ ଆଳକରି । ବାରଶହ ବଢ଼େଇ ଆଉ ଧରମା, ଜାତିର କଳା ସିଦ୍ଧି ଆଉ ପିତାର ଅନ୍ତର ଦହନ ପୁଣି ଇତିହାସର ଉପହାସ ମଧ୍ୟରେ ‘‘ଜଣେ ମୁଣ୍ଡିମାରେ/କେତେ ସ୍ୱପ୍ନ ଦେଇ ଆଙ୍କେ ପୂର୍ଣ୍ଣତାର ଛବି/ଆଉ ଜଣେ ମୁଣ୍ଡ କାଟେ ।

 

ତେଣୁ ଏକାଧାରରେ କବି ଲେଖନ୍ତି–

 

‘‘ଦେବତ୍ୱ ଓ ମରଣ ମଝିରେ

କେବଳ ଟିକିଏ ହାଓ୍ୱା

ଧରମା ଓ ବାରଶ ବଢ଼େଇ ମଝିରେ

କେବଳ ଟିକିଏ ମାୟା

କୋଣାର୍କର ଘୋଡ଼ା ଆଉ କବନ୍ଧ ମଝିରେ

କେବଳ ପୁଳାଏ ଆହା-’’

 

ଏହାହିଁ ଇତିହାସର ପୁଞ୍ଜି । ‘‘ମାଟିର ମଣିଷ’’ ‘‘ଇତିହାସର ପେଡ଼ି’’ରେ, ତାହା ସାଇତି ରଖେ ସତ; କିନ୍ତୁ ଏ ଇତିହାସର ଉଦ୍‌ଘାଟନ ମଧ୍ୟର ଶ୍ରଦ୍ଧାକର ବାବୁଙ୍କ ମାନବିକ/ସମ୍ବେଦନଶୀଳତା ହିଁ ଫୁଟିଉଠେ । ‘ନବବର୍ଷ’ ଏବଂ ‘ବିଦାୟ’ କବିତା ଦୁଇଟିର ରଚନାକାଳୀନ ପରିବେଶ ଭିନ୍ନ ହେଲେ ମଧ୍ୟ ତହିଁରେ ଏ ସମ୍ବେଦନଶୀଳତାର ପଦଧ୍ୱନି ସ୍ପଷ୍ଟ । ‘ତୁମେ କି ଫେରିବ କବି’ କବିତା ସମସାମୟିକ ଜୀବନରେ ମୂଲ୍ୟବୋଧର ହାନି ଉପରେ ଆଧାରିତ; କିନ୍ତୁ ‘ଅଗ୍ରିମ’ କବିତାଟି ଲୋକଚରିତ୍ର ଉପରେ ଏକ ସାଟାୟାର । ରାଜନୀତି କ୍ଷେତ୍ରରେ କେତେ ଅଙ୍ଗେ ନିଭେଇବା କଥା ଏହାର ପରୋକ୍ଷ ପ୍ରାଣପିଣ୍ଡ; ତଥାପି ଏହାରି ଭିତରେ ଶ୍ରଦ୍ଧାକର ବାବୁ ଖୋଜିଛନ୍ତି ଏକାନ୍ତ ମାନବିକ ପଦେ ଜୀବନ୍ତ ଆହା, ଟିକିଏ ସ୍ନେହ । ସେହି ସ୍ନେହକାଙ୍ଗାଳ ମନର ଚରମ ପ୍ରକାଶ ଘଟିଛି ‘‘ଦୁଇଟି ଦିନ–ଦୁଇଟି ଆତ୍ମା’’ କବିତାରେ । ଏ କବିତାରେ ଏକ ବ୍ୟାପକ ଚିରନ୍ତନୀ ପ୍ରକୃତି ହୋଇଉଠିଛି କବିର ମାଆ । ସମଗ୍ର ପ୍ରକୃତିର ବସନ୍ତ, ମଳୟ, କୋକିଳ, ଆକାଶ, ତାରା ଆଉ ସଫେଦ ଚାନ୍ଦିନୀ ସବୁ ହୋଇଯାଇଛି ମାତୃରୂପିଣୀ–କବିଙ୍କ କଥାରେ ‘ଅନନ୍ତ ଯୌବନା ମାଆ ମୋର’ । ଏ ମାଆର ପରିକଳ୍ପନାରେ ସବୁ ନୈର୍ବ୍ୟକ୍ତିକ କିନ୍ତୁ କବିଙ୍କ ଆବାଲ୍ୟପରିଚିତା ମହାନଦୀ ଏକ ବ୍ୟକ୍ତିରୂପରେ ପ୍ରକାଶ ପାଇ ଏ ସମଗ୍ର ପ୍ରକୃତିକୁ ସମ୍ୱଲପୁର ଭୂମିରେ ପରିଣତ କରିଦେଇଛି । କବିଙ୍କ କଥାରେ–‘‘ମହାନଦୀ ନୀଳ କଲ୍ଲୋଳରେ/ଫୁରୁଫୁରୁ ଉଡ଼ୁଥିଲା ଅଳକ ତୁମର/ ଆକାଶର ନୀଳିମାରେ ତୁମ ଦିଗନ୍ତ-ବିସ୍ତାରୀ ଶାଢ଼ୀ/ଢାଙ୍କିଥିଲା କୋମଳ ଶରୀର ମୋର’’ । ସେହି ପ୍ରକୃତି-ମାଆ ନିଜ କୋଳରେ ପାଳି ପୋଷି ଖେଳାଇଛି–‘‘ମହାନଦୀ ଜଳଧାରା, ମମତାର ସ୍ନେହଧାରା ଦେଇ/ମୋର ଧମନୀର ରକ୍ତ ଅବିରାମ ନଚାଇଛ ତୁମେ ।’’ ତା’ପରେ ଆସିଛି ଜୀବନର ସାୟାହ୍ନ-ଚେତନା–କ୍ଳାନ୍ତ ପରିଶ୍ରାନ୍ତ ବ୍ୟକ୍ତିର ବିଶ୍ରାମ ଚିନ୍ତା । ସେତେବେଳେ ସେହି ମାଆର କୋଳ ହିଁ ହୋଇଛି କବିଚକ୍ଷୁରେ ଶ୍ରେଷ୍ଠ ଆଶ୍ରୟ ସ୍ଥଳ ।

 

‘‘x x x x

ଶରତର ସ୍ୱର୍ଣ୍ଣାଞ୍ଚଳେ

ଢାଙ୍କିଦେବ ଦୁଇ ଆଖି ମୋର ।

ସାୟାହ୍ନର ପକ୍ଷୀର କାକଳି ଗୀତେ

ମଧୁବାତ ତାଳ ଦେଇ

ମହାନଦୀ କଲ୍ଲୋଳ ଦୋଳାରେ

ଯେବେ ଶୁଆଇବ ମୋତେ ।

x x x x’’

 

ଜୀବନର ଆରମ୍ଭରେ, ଗତିବେଳେ ଆଉ ବିଶ୍ରାମରେ ସେହି ଗୋଟିଏ ଗତି ମହାନଦୀ କଲ୍ଲୋଳ, ମହାନଦୀ ଧାରା । କବି ମନର ଏହା ଏକ ବିଶ୍ୱସ୍ତ ପ୍ରକାଶ–ଏକ ପ୍ରାଣପୂର୍ଣ୍ଣ ଏପିଟାଫ୍‌ ।

 

ଶ୍ରଦ୍ଧାକର ବାବୁଙ୍କ କବିତାରେ ଯେଉଁ ତରୁଣ ପ୍ରେମିକ ଏବଂ ସ୍ନେହକାଙ୍ଗାଳ ମାନବିକ ଚେତନାର ପ୍ରକାଶ ଘଟିଛି, ତାହା ଏ କବିତା ସଂକଳନର ଏକ ମନୋରମ ଆବିଷ୍କାର । ସ୍ୱଭାବ-ଗମ୍ଭୀର, ଧୀରପ୍ରଶାନ୍ତ ବ୍ୟକ୍ତିତ୍ୱରେ ଗବେଷକ-ପ୍ରାବନ୍ଧିକର ପ୍ରକାଶ ଏକାନ୍ତ ସ୍ୱାଭାବିକ ମନେହୁଏ; ତରୁଣ କବିର ସତ୍ୟ କିନ୍ତୁ ସେ ବ୍ୟକ୍ତିତ୍ୱକୁ ଆହୁରି ଉଜ୍ଜ୍ୱଳ ସୁନ୍ଦର କରିଦିଏ ।

 

ଶ୍ରୀ ଗୋବନ୍ଦଚନ୍ଦ୍ର ଉଦ୍‌ଗାତା

ସମ୍ୱଲପୁର, ରବିବାର, ତା ୧୪।୯।୮୦

ପ୍ରକାଶକ : ଶ୍ରୀ ଅନନ୍ତ ମିଶ୍ର

☆☆☆

 

ପ୍ରେମର ଅନେକ ରଙ୍ଗ

 

ରାତିସାରା ଉଜାଗର

ନାଗରର ପ୍ରତୀକ୍ଷାରେ

ପିଙ୍ଗଳାର କବରୀ କୁସୁମ ସହ

ମଉଳିଳା ବାସନା କୁସୁମ ।

ପ୍ରଭାତରେ ସୂର୍ଯ୍ୟଦୟେ

ଜହ୍ନସଙ୍ଗେ ମ୍ଳାନ ହେଲା

ସକଳ ଉତ୍କଣ୍ଠା ତା’ର ।

ପ୍ରେମ ରଙ୍ଗ ଫିକା ପଡ଼େ ।।

 

ଚିନ୍ତାମଣି ଗଣିକାର

ଅଙ୍ଗସଙ୍ଗ ଲୋଲୁପ କାମୁକ

ଅନ୍ଧ ଯେ ପ୍ରେମିକ

ଶବ ପରେ ପାରି ହୁଏ ନଦୀ

ରଜ୍ଜୁ ଆଉ ସର୍ପ ମଧ୍ୟେ ନ ଜାଣଇ ଭେଦ

ଏକ ଚିନ୍ତାମଣି ତେଜି

ଖୋଜେ ଆଉ ଏକ ଚିନ୍ତାମଣି

ସେ ଫଗୁ କି ଗାଢ଼ ହୁଏ ?

ବକ୍ଳଳ କାର୍ପାସ ଅବା କୌଶୟେ ବସନ ଭେଦି

ଚର୍ମ, ରକ୍ତ, ମାଂସ, ମଜ୍ଜା, ଅସ୍ଥି ମଧ୍ୟ

ଜୀର୍ଣ୍ଣବାସ ପରି

ପରିତ୍ୟାଗ କଲା ପରେ

ଯେଉଁ ପ୍ରେମ ମୃତ୍ୟୁ ଜୟ କରେ

ସେ କେଉଁ ରଙ୍ଗର ପ୍ରେମ ?

ସତ୍ୟକୁ ବରଣ କରି

କେଉଁ ଜ୍ୟୋତିର୍ମୟୀ ଦେବୀ

ପ୍ରେମଦ୍ୱାରା କାଳ ଜୟ କରେ ?

ଆଉ କିଏ ବିବସନା

ସ୍ତନ୍ୟ ଦାନ କରେ ଈଶ୍ୱରଙ୍କୁ ?

ସତୀତ୍ୱ ନାରୀର ଧର୍ମ

କିନ୍ତୁ ଘନଶ୍ୟାମ ଡାକେ

ସବୁ ଧର୍ମ ପରିତ୍ୟାଗ କରି

ମୋ’ଠାରେ ଶରଣ ପଶ

ବଂଶୀସ୍ୱନେ ତେଣୁ

ସତୀଧର୍ମ ତେଜି

ଷୋହଳ ସହସ୍ର ଗୋପୀ

ଧାଇଁଲେ ପାଗଳ ହୋଇ

ନିଜ ନିଜ ଆଶାର ପୂରଣ ପାଇଁ

ପୀତବାସେ ପାଶେ ବୃନ୍ଦାବନେ

ପ୍ରକୃତି ପୁରୁଷ ମଧ୍ୟେ

ଦୁକୂଳ ଓ କାଞ୍ଚଲାର ବ୍ୟବଧାନ ମଧ୍ୟ

ହେଲା ଦୂର ଯମୂନା ପୁଲିନେ

କଦମ୍ୱର ବନେ ।।

 

ଆଉ ଏକ ନାରୀ

ଖୋଜୁଥିଲା ମାପିବାକୁ ପ୍ରେମର ପରିଧି

ନ ଅଣ୍ଟିଲା ବାନ୍ଧିବାର ଡୋର

ଚାରି ଦଉଡ଼ି କଟା

ଏକୋଇର ବଳା ଖସିଗଲା

ଧରା ଛୁଆଁ ଦେଲାନାହିଁ ଆଉ

ଗଲା ପୁତ୍ର ବାହୁଡ଼ି ନୋହିଲା

ସେ ପ୍ରେମ କି ଏକ ଇନ୍ଦ୍ରଧନୁ

ଘଟେ ଲୀନ ଚନ୍ଦ୍ରମାର ଛାୟା ?

କଣ୍ଟକ ମୁକୁଟ ଶିରେ

ରୁଧିରପ୍ଳାବିତ ଅଙ୍ଗେ

ଶାରୀରିକ ଯାତନାକୁ ହେୟ ମଣି

ଯେଉଁ ପ୍ରେମୀ ଡାକେ ଈଶ୍ୱରଙ୍କୁ

‘‘ପିତା ! ଏମାନଙ୍କୁ କ୍ଷମାକର

ଏମାନେ ଜାଣନ୍ତି ନାହିଁ

କ’ଣ କରୁଛନ୍ତି ।’’

କରୁଣାର ଅବତାର

ଘାତକକୁ ପ୍ରେମ କରି

ହିଂସାର ବଜାର ସାରା

କିଣିନିଏ ପ୍ରେମ ମୂଲ୍ୟ ଦେଇ

ସେ ପ୍ରେମର ରଙ୍ଗ କ’ଣ ?

‘ବାଘନିଶ ହନାଲା’ କି ଏକ ଯାଦୁ ମନ୍ତ୍ର ?

ସେ ପ୍ରେମର ଯାଦୁ ମନ୍ତ୍ର ପଢ଼ି

ଯେବେ ନଙ୍ଗଳା ଫକୀର

ବାଘ ନିଶ କରିଦେଲା ସ୍ଥିର, ଅଚଞ୍ଚଳ ।

ସତ୍ୟ ଓ ଅହିଂସା ଥିଲା

ସେ ପ୍ରେମର ରଙ୍ଗ ।

କେତେ ରଙ୍ଗ, କେତେ ରୂପ

କେତେ ସଉରଭ

କେତେ ସ୍ୱାଦ

ଅବିର ଓ ପିଚକାରୀ

ସିନ୍ଦୂର, ଚନ୍ଦନ

ଚମ୍ପା, ମଲ୍ଲୀ, ଗୋଲାପ, ମାଳତୀ

ହେନା, ଟଗର, ସେବତୀ

କେତେ ରସଭରା ଫଳ

ଆମ୍ୱ ଓ ନାରଙ୍ଗୀ ଆଦି

ଧୂପ, ଦୀପ ସମସ୍ତ ନୈବେଦ୍ୟ

ତୁମଠାରେ ପ୍ରେମ ନିବେଦନ ମୋର ।

☆☆☆

 

ତୁମକୁ ମୁଁ ଭଲପାଏ

 

ବେଦ ଓ ପୁରାଣ କାବ୍ୟ

ବହୁ ବର୍ଷ କରି ଅଧ୍ୟୟନ

ମଧୁମକ୍ଷି ପରି ଜ୍ଞାନ

ମଧୁଚକ୍ର କଲି ମୁଁ ଗଠନ

ତଥାପି ଅତୃପ୍ତ ତବ

ପ୍ରେମ ମଧୁ ପାଇଁ ମୁଁ ଅଥୟ

ତୁମକୁ ମୁଁ ଭଲ ପାଏଁ

ଏହି ମୋର ଶ୍ରେଷ୍ଠ ପରିଚୟ ।

ସଙ୍ଗୀତ ପଣ୍ଡିତ ହୋଇ

ମୁଗ୍‌‌ଧ କଲି ରସିକ ମଣ୍ଡଳୀ

କିନ୍ତୁ ତୁମ ପ୍ରେମ ଗୀତେ

ହୃଦୟକୁ ଝଙ୍କୃତ ନ କଲି

ଶିଖିବାକୁ ଚାହେଁ ମୁହିଁ

ବୃନ୍ଦାବନ ବଂଶୀ ତାନ ଲୟ

ତୁମକୁ ମୁଁ ଭଲ ପାଏଁ

ଏହି ମୋର ଶ୍ରେଷ୍ଠ ପରିଚୟ ।

ସେବାର ବୋଇତେ ଲୋକେ

ସ୍ନେହେ ମୋତେ କଲେ କର୍ଣ୍ଣଧାର

କିପରି କରିବି ପାରି

ମୁହିଁ ଏହି ସାଗର ଅପାର

ଧ୍ରୁବ ତାରା ରୂପେ ଯଦି

ତୁମେ ମୋତେ ପଥ ନ ଦେଖାଅ

ତୁମକୁ ମୁଁ ଭଲ ପାଏଁ

ଏହି ମୋର ଶ୍ରେଷ୍ଠ ପରିଚୟ ।।

କଳାବିଦ, କବି ହୋଇ

ଚାହେଁ ନାହିଁ ହେବାକୁ ଅମର

ନ ଚାହେଁ ହେବାକୁ ମୁହିଁ

ନେତା, ଜ୍ଞାନୀ, ପଣ୍ଡିତ ପ୍ରବର

ଗେହ୍ଲାପୁଅ ହେବି ମୁହିଁ

ତବ ପଦ ଲଭିଲେ ଆଶ୍ରୟ

ତୁମକୁ ମୁଁ ଭଲ ପାଏଁ

ଏହି ମୋର ଶ୍ରେଷ୍ଠ ପରିଚୟ ।।

☆☆☆

 

ମଧୁଯାମିନୀ

 

ଅନ୍ଧକାର ଆକାଶରୁ ଝରେ ମେଘ

ଝର ଝର ଧାରେ ଅବିରାମ

ଧାରା ମଦିରାରେ ଆଜି ଆତ୍ମହରା

ପ୍ରଭଞ୍ଜନ ବହଇ ଉଦ୍ଦାମ

ବିଭୋରା ରସ ଆସାରେ ପୁଲକିତା

ଶ୍ୟାମ-ବସ୍ତ୍ର-ଧାରୀଣୀ ଧରଣୀ-

ପ୍ରେମର ମୋହନ ମନ୍ତ୍ରେ କୁହୁକୁନୀ

ମାୟାବିନୀ ଏ ମଧୁ ରଜନୀ ।।

ଏହି ଶ୍ୟାମଧାରା ପରି ନୀଳ ନେତ୍ରୁଁ

ତବ ଆଗୋ ହରିଣୀ ନୟନା

ଲାବଣ୍ୟର କାଦମ୍ୱରୀ ଭରିଦିଏ

ମନେ ମୋର ଘୋର ଉଦ୍ଦୀପନା

କାଦମ୍ୱରୀ ଭରା ସେହି କଟାକ୍ଷରେ

ବଜ୍ରାହତ ବିହଙ୍ଗମ ବତ

ରୂପ ପାନ ଅତୃପ୍ତ ନୟନ ମୋର

ଅନିଚ୍ଛାରେ ହୋଇଯାଏ ନତ ।

ମେଘର ଏ ପ୍ରଳୟ ଗର୍ଜନ କରେ

ବିରହୀର ମରଣ ସୂଚନା

ପ୍ରଭଞ୍ଜନ ଅଟ୍ଟହାସ ତୀବ୍ରତର

କରେ ତା’ର ବିରହ ଯାତନା

ମିଳନ ନିଶୀଥେ ତେବେ ସରମର

ହିମସୃଷ୍ଟି କାହିଁକି ଗୋ ଆଜି ?

ପୀୟୂଷ ସାଗରେ ମଜ୍ଜି ବିଷପାତ୍ର

କରେ କିପାଁ ଧରି ରଖ ସାଜି ?

କିଏ ଜାଣେ ଏହି ପରି ରାତି ଆଉ

ଏ ଜୀବନେ ମିଳିବ କି ନାହିଁ

ଏ ରାତିର ମଧୁ ସ୍ୱପ୍ନେ କେତେ ରାତି

ନିଦ୍ରାହୀନ ଯାଇ ଅଛି ପାହି

ସଙ୍କୋଚର ଯବନିକା ହୃଦୟର

ଅନ୍ତରାଳୁଁ ଦିଅ ଦୂରକରି

ଦିବ୍ୟାଲୋକେ ଭରୁ ଆଜି ଏ ଅନ୍ଧାର

ରାତ୍ରି ତବ ପ୍ରେମରସେ ଭରି

ଏ ଦୀନ କୁଟୀର ମୋର ପ୍ରଣୟର

ମନ୍ତ୍ରେ ତବ ହେଉ ସ୍ୱର୍ଗପୁରୀ

ଏହି କକ୍ଷ ତବ ରୂପ ସୌରଭରେ

ଜନମାଉ ନନ୍ଦନ ମାଧୁରୀ

ରସମୟି, ତବ ପ୍ରେମ ରସେ ଭରା

ମୁହୂର୍ତ୍ତ ଗୋ ହେଉ ଯୁଗ ସମ

ସମସ୍ତ ବିଷାଦ, ଶୋକ, ସର୍ବ ଭୟ

ବିରହର ହେଉ ଉପଶମ ।

ପୂର୍ଣ୍ଣ କର ଏ ଶୂନ୍ୟ ଜୀବନ ମୋର

ତୁମରି ଗୋ କୋମଳ ପରଶେ

ଏକ ସ୍ମିତ ହାସେ ତବ ପାରିଜାତ

ସଉରଭ ବିକଶୁ ହରଷେ

ଗୋଟିଏ ଚୁମ୍ୱନେ ଆଜି ଢାଳିଦିଅ

ଅଧରେ ମୋ ପୀୟୂଷର ଧାରା

ତୁମରି ପ୍ରକାଶେ ପ୍ରେମ ଆନନ୍ଦରେ

ଭରା ଆଜି ହେଉ ବିଶ୍ୱସାରା ।।

☆☆☆

 

ଆକର୍ଷଣ

 

ସହସ୍ର ଯୋଜନ ଦୂରୁଁ

ଅମା ଚନ୍ଦ୍ର ଚାହେଁ ଧରଣୀରେ

ଜଳଧିରେ ଜାଗଇ ଜୁଆର

ଉଚ୍ଛ୍ୱସିତ ତୃଷାତୁର ଊର୍ମିଚୂଡ଼ା

ଫେରି ଆସେ ବାରବାର

ବେଳା ତଟେ କରେ ହାହାକାର ।

ତୁମରି କଜ୍ଜ୍ୱଳୋଜ୍ଜ୍ୱଳ କୃଷ୍ଣ କନୀନିକା

କେତେଦୂରୁଁ କରଇ ଇସାରା

ଆଲୋଡ଼ଇ ହୃଦୟକୁ ମୋର ।

କାହିଁକି ଏ ଆକର୍ଷଣ ?

ମୋହର କାମନା

ଆଉ ତୁମରି ନୟନ ମଧ୍ୟେ

ଅଛି ଯେଉଁ ବ୍ୟବଧାନ

ସହସ୍ର ଯୋଜନ

ସମାଜର

ଛେଦି କି ପାରିବ ତୁମେ ?

ବିଧି ନିଷେଧର

ଭେଦି କି ପାରିବି ମୁହିଁ ?

ତଥାପି ଧନ୍ୟ ତୁମେ

ନିସ୍ତରଙ୍ଗ ହୃଦୟ ସାଗରେ ମୋର

ଜୁଆର ଜଗାଇ

କୃତକୃତ୍ୟ ମୁହିଁ

ତୁମରି ନୟନ ମଧ୍ୟେ

ମୋ ଜୀବନ ପ୍ରତିବିମ୍ୱ ପାଇ ।

☆☆☆

 

ମେଘଦୂତ

 

ରୋଦନ ବିକଳା ବୀଣାଟି ତୁମର

ଭୁଲିଛି ସବୁ ମୂର୍ଚ୍ଛନା

କ୍ଷଣକର ପାଇଁ ବିସ୍ତୃତ ପରାୟ

ବିରହ ଗୀତି ଗାଆନା ।

ନୀଳ କୁବଳୟ ସମାନ ନୟନୁଁ

ବହେ ଲୋତକର ଧାର

କ୍ଷଣକର ପାଇଁ ପୋଛି ଦିଅ ଆଗେ

ସେହି ଶୋକ ବାରିଧାର ।

ବରହ ମଳିନ ତନୁଲତା ତବ

ସେହି ବାତାୟନ ପରେ

ଆଉଜାଇ ଧୀରେ ଚାହଁ ନବାଗତ

ପ୍ରିୟ ଅତିଥିକୁ ଥରେ ।

ସମୀପେ ତୁମର ପ୍ରିୟତମଙ୍କର

ବାର୍ତ୍ତା ଶୁଣାଇବା ପାଇଁ

ଆସିଅଛି ମେଘ ଦୂର ପ୍ରବାସରୁ

ତବ ପତିପାଶୁଁ ଧାଇଁ ।

ବିଶ୍ୱ ବିରହିଣୀ ଉପକାର ବ୍ରତେ

ବାରିଦ ଅଟଇ ବ୍ରତୀ ।

ସର୍ବ ବିରହୀର ଦୁଃଖ ସମାଚାର

ନିଏ ପ୍ରିୟତମା ପ୍ରତି ।

ପର ଉପକାର ବ୍ରତେ ବ୍ରତୀ ସେହି

ପର ଦୁଃଖେ ଦୁଃଖୀ ନିତି

ଚାହେଁ ନା ଆଦର କୂଟଜ କୁସୁମ

ପୂଜାରେ ନ ଲୋଡ଼େ ପ୍ରୀତି ।

ଶୁଣାଇବ ଖାଲି ତବ ପ୍ରେମିକର

ଛିନ୍ନ-ତନ୍ତ୍ରୀ-ବୀଣା ତାନ

ଗାଇବ ସେ ବସି ତୁମରି ପ୍ରିୟର

ବିରହ କବିତା ଗାନ ।

ବାତାୟନ ପାଶେ ତୃଷିତ ନୟନେ

ବସିଅଛି ମେଘ ଚାହିଁ

ବିରହ କବିତା- ଶ୍ରବଣ ଉତ୍ସୁକା

ତବ ଆଗମନ ପାଇଁ ।

ଚାହିଁ ଦେଖ ତବ ଦରଶନ ମାତ୍ରେ

ହର୍ଷ-ପୁଲକିତ ମନେ

ଉଦବେଗ ଭରେ ନିଃଶ୍ୱସିଲା ପ୍ରାୟେ

ମୁଞ୍ଚଇ ଶୀତ ପବନେ ।

ଶୁଣିବ ତାହାର ବେଦନାରେ ଭରା

ନୀରବ ଗଭୀର ଭାଷା

ବୁଝିବ ତାହାର ବିରହ ବାରତା

ବୋଲି ସେ କରିଛି ଆଶା ।

ସେହି ଯେ ମେଘରେ ଘନ ଶ୍ୟାମଳିମା

ଦୟା ଉପୁଜାଏ ମନେ

ବିଶ୍ୱ ବିରହୀର ବିଷାଦ କାଳିମା

ରହିଛି ତହିଁ ଗୋପନେ ।

ତରୁ ପଲ୍ଲବରେ ଅଧୀର ଭାବରେ

ନିଃସ୍ୱନଇ ପ୍ରଭଞ୍ଜନ

କୋଟି ବିରହୀର ହୃଦୟ ବେଦନା

ନିଃଶ୍ୱସଇ ତହିଁ ଘନ ।

ସେଥିପାଇଁ ପ୍ରତି ତରୁ ପଲ୍ଲବରେ

ଯେଉଁ ଘୋର ଅଧୀରତା

ବିରହୀ ଜନର ଅନୁକମ୍ପା ଆଶେ

କହେ ଦରଫୁଟା କଥା ।

କୋଟି ସମାଚାର ମଝିରେ ତୁମର

ବିରହ କାତର ପ୍ରିୟ

ପ୍ରେରି ଅଛି ତହିଁ ବାର୍ତ୍ତା ସାବଧାନେ

କାନଡ଼େରି ଖୋଜି ନିଅ ।

ଦର ଦର ଦର ଝରେ ବାରିଧାର

ଧରଣୀ ପ୍ଳାବିତ କରି

ତହିଁ କେତେ କେତେ ବିରହୀର ବକ୍ଷ

ବେଦନା ରହିଛି ଭରି ।

ଦୂର ଅତୀତର କେତେ ବିରହୀର

ବ୍ୟଥା ହୋଇ ତରଳିତ

ବାରବିନ୍ଦୁ ରୂପେ ହୋଇ ପରିଣତ

ଗାଏ କି କରୁଣ ଗୀତ

କୋମଳ ହୃଦୟ ସଞ୍ଚିତ ବେଦନା

ପ୍ରେରିଅଛି କରି ଦ୍ରବ

କେଉଁ ବିନ୍ଦୁ ମଧ୍ୟେ କନକ-ବଳୟ

ହୀନ-କର ପତି ତବ ।

ବିରହ ଉନ୍ମନା ପ୍ରଣୟ କୁପିତା

ତବ ଚିତ୍ର ପଦ ତଳେ

ପଡ଼ି ଅଭିଷିକ୍ତ କରେ ତବ ପ୍ରେମେ

ଯେଉଁ ଲୋତକର ଜଳେ

ଏହି ଶୋକ ଉଷ୍ଣ ବାରିବିନ୍ଦୁ ମଧ୍ୟୁଁ

ସେ ବିରହ ବାରିକଣା

ରତନ ସମାନ ଖୋଜି ନିଅ ଆଗୋ

ପ୍ରିୟ-ଚିନ୍ତା-ନିମଗନା ।

ସେହି ଯେ ବିଷାଦ– ଶ୍ୟାମଳ ମେଘର

ବକ୍ଷ ଭେଦି ସୌଦାମିନୀ

ସ୍ୱର୍ଣ୍ଣଲତା ସମ ଫୁଟେ ବାରେ ବାରେ

କ୍ଷଣ ଆନନ୍ଦଦାୟିନୀ ।

ସେହି ପରି ତବ ଦୁଃଖୀ ପ୍ରିୟତମ

ହୃଦୟ କରି ଅଥୟ

ବାରବାର ତା’ର ବକ୍ଷ ଭେଦି ଉଠେ

ସ୍ମୃତି ତବ ସ୍ୱର୍ଣ୍ଣମୟ ।

☆☆☆

 

ଯୌବନ ପ୍ରତୀକ୍ଷା

 

ପ୍ରଥମ ପ୍ରଭାତ ଉଦୟୁଁ

ମୁହିଁ ବସିଛି ଜାଗି

ତୃଷିତ ନୟନେ ଚାହିଁଛି

ତବ ଆଗମ ଲାଗି ।

ହୃଦୟ ଆସନ ମୋହର

ସଜାଇଛି ଯତନେ

ତବ ସେବା ପାଇ ମଣ୍ଡିଛି

ଅଭିଳାଷ ରତନେ ।

ହୃଦସିନ୍ଧୁ ମଧ୍ୟେ ଜାଗେ ମୋ

ଅଭିନବ ଜୁଆର

ଉଛୁଳେ ଜୀବନ ଯମୁନା

ପାଇ ଆଶା କାହାର ?

ଅପଲକ ଚାହିଁ ଥିବି ମୁଁ

ବସି ମୋର ଦୁଆରେ

ପଲକ ପାଇଁ କି ତୁମରି

ଦରଶନ ଆଶାରେ ।

ଆସିବ ଗୋ ଯେବେ ନବୀନ ।

ସଙ୍ଗେ ସଙ୍ଗେ ତୁମର

ପଟୁଆରେ ତହିଁ ଥିବେ ତ

ଅନେକ ଅନୁଚର ।

କେତେ ଫୁଲ ସାଜି ବସନ୍ତ

ଯାଉଥିବ ଗୋ ଚାଲି

ସୁରଭି ଦକ୍ଷିଣ ମଳୟ

ଚାରୁ ଚାମର ଢାଳି ।

ହସୁଥିବ ମଧୁ ପ୍ରକୃତି

ଚାରୁ ବନ ସୁମନେ

ଗାଉଥିବି ଲୁଚି କୋକିଳ

କେଉଁ ବନ ଗହନେ ।

ଶୀତକର-ସିତ-କିରଣେ

ହସୁଥିବ ରଜନୀ

ମଳୟର ମଧୁ ପରଶେ

ନାଚୁଥିବ ଅବନୀ

କେତେ ଗନ୍ଧ-ଅନ୍ଧ-ମଧୁପ

ହୃଦ ପାଗଳ କରି

କେତେ ଉପବନ କୁସୁମ

ଗନ୍ଧେ ଉଠିବ ଭରି ।

ମଦନ କୁହୁକେ ମଦିର

ହେବ କେତେ ହୃଦୟ

କେତେ ପ୍ରାଣ ତା’ର କୁସୁମ-

ବାଣେ ହେବ ଅଥୟ ।

ସେହି ସମୟରେ ଫୁଟିବ

ମୋହ ହୃଦ ସୁମନ

ଆସିବ ଯେବେ ହେ ଅତିଥି

ମୋର ହୃଦୟ ଧନ ।

ସେ ଏକ ବସନ୍ତ ଢାଳିଣ

ଦେବି ମୋର ଜୀବନ

ସେ ସୁଖ ଜୁଆରେ ଭସାଇ

ଦେବି ପରାଣ ମନ ।

ଯାଏ ଭାସି କାଳ ସାଗରେ

କେତେ କେତେ ବସନ୍ତ

ଚିତ୍ର ଶାଳେ ଭାଙ୍ଗି ଗଢ଼ଇ

ତା’ର ଶୋଭା ଅନନ୍ତ

କିନ୍ତୁ ଯେ ବସନ୍ତ ଫୁଟାଇ

ଦେବ ମୋର ହୃଦୟ

ସେ ବସନ୍ତେ ଝରି ହୃଦୟ

ମୋର ଲଭିବ ଲୟ ।

ସେଥିପାଇଁ ତବ ଆଗମ-

ଆଶେ ବସିଛି ଚାହିଁ

ସୁଖର ସେ ଅଣୁ କଣିକା-

ମଧୁ ଆସ୍ୱାଦ ପାଇଁ ।

ଯିବ ଚାଲି ଯଦି ନ ବସି

ମୋର ହୃଦ ଆସନେ

ତବ ଅତୁଳନ ସୁଷମା

ଝୁରୁଥିବି ମୁଁ ମନେ ।

କ୍ଷଣ ପ୍ରଭା ସମ ତୁମରି

ସ୍ମୃତି ଆଙ୍କିବି ପ୍ରାଣେ

ବିତାଇବି ସାରା ଜୀବନ

ତବ ରୂପ ଧିଆନେ ।

 

ସେପ୍‌ଟେମ୍ୱର, ୧୯୩୩

☆☆☆

 

ଅଙ୍ଗେ ନିଭେଇବା କଥା

 

ଏ ମୋର କାହାଣୀ ନୁହେ

ସମୟ ସାଗର ବେଳା ବାଲୁକାରେ

ଚିରନ୍ତନ ପଦଚିହ୍ନ

ବଜ୍ରଲେପସମ ।

ପରବର୍ତ୍ତୀ ଜୁଆରର

ଢେଉ ଆସି ପୋଛି ଦେବ

ଚିହ୍ନ ବର୍ଣ୍ଣ ତା’ର ।

 

ଖଦ୍ୟୋତ ମୁଁ,

ଚାହୁଁ ନାହିଁ

ସ୍ଥିର ଦୀପ୍ତ ଉଜ୍ଜ୍ୱଳ ତପନ ପରି

ସୃଷ୍ଟି କରେ ଅସହ୍ୟ ଝଲସ

ତୁମ ସୁନ୍ଦର ନୟନେ ।

 

ତୁମେ ଯେବେ ଛିଡ଼ା ହେବ

ଶୁଣିବାକୁ ବର୍ଷାର ସଙ୍ଗୀତ ରାତେ

ଅନ୍ଧକାର ବାତାୟନେ ପାଶେ

ଆଉ ଦେଖୁଥିବ

ନୀଳାଭ ଆଲୋକ ଭରା

ଥିବା ଆଉ ନ ଥିବାର

ତିଳ ତଣ୍ଡୁଳିତ ନୃତ୍ୟ ମୋର

ତେବେ ତୃପ୍ତ ହେବ ମୋ ଜୀବନ

ତପ୍ତ ରକ୍ତଧାରେ ଲେଖା

ଗଣ ହତ୍ୟା, ବିଭୀଷିକା

 

ଆଉ ବିଶ୍ୱାସ ଘାତରେ ରଙ୍ଗା

ଇତିହାସର ପୃଷ୍ଠାରେ

ଚାହେଁ ନା ମୁଁ ସ୍ପର୍ଦ୍ଧିତ ଆସନ ।

ଯେଣୁ ମୋର ଧମନୀରେ

ଭରି ଅଛି ଶୀତଳ ଶୋଣିତ ।।

 

ନଗରୀର ଚତୁଷ୍ପଥେ

ପ୍ରାତଃ ସ୍ମରଣୀୟ ବୀରଙ୍କର

ଯେଉଁ ପ୍ରତିମୂର୍ତ୍ତି

ଘୋଷେ ତାଙ୍କ ଜୀବନର

ଅମର କାହାଣୀ ।

ସେହି ମୂର୍ତ୍ତି ମୁଣ୍ଡେ ଦେଖେ

କେତେ କୁଆ, କେତେ ପାରା

ନେଇଥାନ୍ତି ଦିଗନ୍ତେ ଆଶ୍ରୟ ।

ତେଣୁ ମୁଁ ଗଢ଼ୁନି ଆଜି

ପାଷାଣର ଜୀବହୀନ ପ୍ରତିମୂର୍ତ୍ତି ମୋର ।

 

ଶୁକ୍ଳକେଶ, ବେଦାନ୍ତୀ ମୁଁ

ପଳିତ ବଦନ

ହୃଦୟ ମୋ ଦୁର୍ବିସହ ବୋଝ ଧରି

ଚାହେଁ ନାହିଁ ଖାଇବାକୁ ଅମରତ୍ୱ ଫଳ ।

 

X X X

 

ଶୁଣିବ କି କଥାଟିଏ ମୋର ?

ଅଙ୍ଗେ ନିଭେଇବା କଥା ?

 

X X X

 

ପିଲା ଥିଲା ତୁମେ ସେତେବେଳେ

କରୁଥିଲେ କେତେ ଅଳି ଗପ ଶୁଣିବାକୁ ।

 

କହିଛି ସୁଖରେ କଥା

ରଜାପୁଅ, ପକ୍ଷୀରାଜ ଘୋଡ଼ା

ଆଉ ସ୍ୱପ୍ନପୁରୀର ରାଜକୁମାରୀ

ଆଉ ଚକୁଳିଆ ପଣ୍ଡାରକଥା

ଆଉ ବୁଢ଼ୀ ଅସୁରୁଣୀ କଥା

ମୋର ସେଇ ଗପମାନ ଶୁଣି

ଯେତେବେଳେ ହସୁଥିଲ ତୁମେ

ଝରୁଥିଲା ତେବେ ତୁମ

ପାଟିରୁ ମୁକୁତା ।

 

କହିଛି ଦୁଃଖର କଥା

ଯୋଗୀ ମଲା ଯୋଗୀଆଣୀ ପାଇଁ

ଅନେଶ୍ୱତ ରାଣୀ ରାଣ୍ଡ କରି

ରଜା ମଲେ କାହା ପାଇଁ ?

ଏଇ ଗପ କହୁଥିଲା ବେଳେ

ଦେଖୁଥିଲି ଆଖିରେ ତୁମର

ଲୁହର ମାଣିକ୍ୟ ।

କିନ୍ତୁ

ବୁଝୁଥିଲ କି ସେଇ

ସବୁ ଗପମାନ ମୋର ।

ନା

 

କାରଣ ସେହି ଥିଲା

ତୁମ ପ୍ରତି ପ୍ରେମ ନିବେଦନ ମୋର ।

‘‘ମୋତେ ବାହାହେବ ?’’

ବୋଲି ସଫା କଥା

କହିଥିଲେ ହୁଏତ ବୁଝିଥାନ୍ତା ।

କିନ୍ତୁ ତାହା ଗପ ହୋଇ ନ ଥାନ୍ତା ।

ତୁମେ କେବଳ ଗପ

ଶୁଣିବାକୁ ଚାହୁଁଥିଲ ।

 

X X X

 

ତୁମେ ଏବେ ବିଦ୍ୟାବତୀ ପ୍ରଥମ ଯୌବନା

ଗୋପୀନାଥ, ଫକୀର ମୋହନ ସଙ୍ଗେ

ରବୀନ୍ଦ୍ର, ମୋପାସାଁ, ମମ୍‌

ପ୍ରେମଚନ୍ଦ ଆଦି

ଯେତେ ଯେତେ ଦୁନିଆର

ସିଦ୍ଧହସ୍ତ ଗାଳ୍ପିକଙ୍କ ଗପ ପଢ଼ି

ହୋଇ ଅଛ ମନସ୍ତତ୍ୱ ବିଶ୍ଳେଷଣ ପରାୟଣା

ଗଭୀର ହୃଦୟା ।

 

ସେଥିପାଇଁ କହେ ଗୋଟେ

ଆଧୁନିକ ମନସ୍ତାତ୍ୱିକ ଗଳ୍ପ

ଅଙ୍ଗେ ନିଭେଇବା କଥା ।

ପ୍ରେମର ଗୋଧୂଳି ମୋର

ଜୀବନର ସାୟାହ୍ନ କିରଣେ

ଆଣେ ଅତୀତର କେତେ

ସ୍ୱର୍ଣ୍ଣ ସ୍ମୃତି ।

ସେଥିରୁ ଗୋଟିଏ କଥା ଶୁଣ ।

 

X X X

 

ଜଣେ ଯୁବକ ଥିଲା

ତା’ର ହୃଦୟ ସମୁଦ୍ରରେ

ସବୁବେଳେ ଉଠୁଥିଲା ପ୍ରେମର ଜୁଆର ।

 

କିନ୍ତୁ ସେ ଭଲ ପାଉଥିଲା

ଗୋଟିଏ ସାତବର୍ଷ ବୟସର

ସୁନ୍ଦରୀ ଝିଅକୁ

ସେ ଝିଅର ଲାଲ ଟକ୍‌ ଟକ୍‌ ଗାଲ

ଗୋରା ଗୋଲ ମୁହଁ ଆଉ ସରଳ ଚାହାଣୀ

କପାଳରେ ଅବିନ୍ୟସ୍ତ ଅଳକର ରେଖା

ଆଉ ଦରୋଟି ବଚନ

କିଣିଥିଲା ଯୁବକ ହୃଦୟ ।

 

ଭଲ ପାଇବାର ଅନ୍ୟ

ଉପାୟ ନ ଦେଖି

ଯୁବକଟି କାହାଣୀ ଶୁଣାଏ ।

ବାଳିକାଟି ସ୍ଫୀତ ନେତ୍ରେ ଶୁଣେ କଥା

‘ହୁଁ’ ଭରେ

କିନ୍ତୁ କେବେ ‘ହଁ’ କହେ ନାହିଁ ।

 

ତା’ର ପ୍ରାୟ ବାର ବର୍ଷ ପରେ

ଝିଅଟି କଲେଜରେ ପଢ଼ୁଛି ସେତେବେଳେ

ଲୋକଟିର ଛାମୁଦାନ୍ତ

କେତୋଟି ଝଡ଼ିଯାଇଛି

ଆଖି କୋଟରକୁ ପଶିଯାଇଛି

 

କପାଳରେ ଅନେକ ବଳିର ରେଖା

ଝିଅର କଲେଜ ଯିବା ବାଟରେ

ଅଖାଡ଼ୁଆ ଲୋକଟି ହଠାତ୍‌ ପଚାରିଦେଲା,

‘‘ଗୋଟିଏ ଗପ ଶୁଣିବାକୁ

ସମୟ ହେବ ତୁମର ?’’

 

ଝିଅଟି ସେତେବେଳେ ଭାବୁଥାଏ

ପଢ଼ାସାଥୀ ଧନୀ ପୁତ୍ର ଗୋବିନ୍ଦର କଥା ।

ବୁଢ଼ାର ପ୍ରଶ୍ନରେ ଅବାକ୍‌ ହେଲା,

ବିରକ୍ତ ହୋଇ କହିଲା, ‘‘ନା’’

ଏଇଠି ଗପର ଶେଷ ।

 

X X X

 

ଏଇ ଗପଟି ଶୁଣି

ତୁମେ ଯଦି ଖାଲି କହ

‘‘ଏଇଟା ପୁଣି ଗୋଟେ ଗପ ?’’

ଆଉ ହାଇ ମାରିବାର ଅଭିନୟ କର

ତେବେ ତ ରକ୍ଷା ।

ନାଇଁ ଯଦି

ତୁମ ସୂକ୍ଷ୍ମ ବିଶ୍ଳେଷଣ ଦ୍ୱାରା

ୟାକୁ ମୋର

ଆଉ ଏକ ପ୍ରେମ ନିବେଦନ ଭାବି

ତାଚ୍ଛଲ୍ୟରେ ହସି ହସି ଗଡ଼ିଯାଅ ।

ତେବେ ତାହା ହେବ

ମୋର ଗାଳ୍ପିକତାର ପ୍ରତି

ଏକ ନିର୍ମମ ପରିହାସ ।

 

ସେଇ ପରିହାସ ହିଁ ହେବ

ସମାଧି ମୋ ପ୍ରେମ ଓ କଳାର ।

କାରଣ

ମୁଁ ତୁମକୁ ଦିନେ ଖୁବ୍‌ ଭଲ ପାଉଥିଲି ।

ଏବେ ବି,

ତହିଁରୁ ଅଧିକ ଭଲ ପାଏଁ

ଅବଶ୍ୟ ମନେ ମନେ ।

 

-୧୯୭୧

☆☆☆

 

ଚାପୀୟ ତ୍ରିକୋଣମିତି

 

କଟକ କଲେଜ ପୂରୁବ ଛାତ୍ରାବାସେ

ଦେଖଇ ନବୀନ କବି

ହରିଣୀ ନୟନା ନାୟିକାକୁ ସପନରେ

ବିରହୀ ଯକ୍ଷ ସମ ବତାୟନ ପାଶେ

ଖଗୋଲେ କ୍ରାନ୍ତି ବିଷୁବ ବୃତ୍ତ ପରି

କଜ୍ଜଳ ବୋଳା ପତାମାନ ତାରସ୍ମରି

ଦର ମୁକୁଳିତ ଓଷ୍ଠ ଅଧର ଭରି

ମନ୍ଦ ମଧୁର ହାସେ ।

 

ନିରାମିଷ ଭୋଜୀ ମେଷ ମୀନ ପଛେ ଧାଏଁ

କନକ ପିତୁଳା କନ୍ୟା ପଛରେ ତୁଳା

ଆକାଶର ଏକ ପ୍ରାନ୍ତୁ ଅପର ଯାଏଁ

ଦେଖ ଲାଗିଅଛି ନିତି ଲୁଚକାଳି ଖେଳ ।

 

ମୃଗଶିରା ପଛେ ଲୁବ୍‌ଧକ ଯାଏ ଧାଇଁ

ଯେତେ ଗୋଡ଼ାଇଲେ ଦୂରତା ତ କମୁ ନାହିଁ

ଧ୍ରୁବ ତାରା ଚାରି ପଟେ ସଦା ବୁଲୁଥାଇ

ତେଲି ଘଣା ପରି ସପତ ଚାଷିର ମେଳ ।

 

କବି କଳ୍ପନା ମାନସୀ ପଛରେ ଧାଏଁ

ରଚଇ ମଧୁର ଗୀତି

କେନ୍ଦ୍ର କରିଣ ଚଉକତି ଘୂରୁଥାଏ

ହାର ମାନେ ନାଡ଼ ପ୍ରୀତି

କବି ଭୌତିକ ଦୂରତାକୁ ନାହିଁ ମାନେ

ତହିଁରେ ଯେ ଅଛି ଜୀବନର ସବୁ ମାନେ

ଅଛି ଯାହା ବାକି, ଅକୁହା ଅର୍ଥହୀନେ

ସକଳରେ କରେ ଇତ ।

 

କବିର ମାନସ ଖ ଗୋଳର ପରି ଆଦି

ଦୂରତା ସମାନ କୋଣ ବଡ଼ ସାନ ସାଜି

ଘୂରୁଥାଏ ଆଉ ପଢ଼ୁଥାଏ ସାଥେ

ମିଷ୍ଟିକ୍‌ କବିତା, ଚାପୀୟ ତ୍ରିକୋଣମିତି

 

ଏହି କବିତାଟି କବି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଜ୍ୟାମିତି’ କବିତାର ‘ଲାଳିକା’ (Parody) ।

☆☆☆

 

ପ୍ରିୟତମାର ଘୁଙ୍ଗୁଡ଼ି

 

ଜୁଆରିଆ ସମୁଦ୍ରର ବେଳାଭୂମିରେ

ଲହଡ଼ି ମାନେ ଘୁଙ୍ଗୁଡ଼ି ମାରୁଥିଲେ ।

ମୁଁ ନୋଳିଆ ହୋଇ

ପଢ଼ଉରେ ବସି

ସେ ଲହଡ଼ି ମାନ

ଭାଙ୍ଗି ଭାଙ୍ଗି ଚାଲିଥିଲି

ଏକ ନାଇଲନ୍‌ ଜାଲ ଧରି

ଧରିବାକୁ ତୁମ ମନ ମୀନ ।

ସେତେବେଳେ ମୋ ମନ ଆକାଶେ

ଶୁକ୍ଳ ଦ୍ୱିତୀୟାର ଚନ୍ଦ୍ର

ଏକ ପ୍ରଶ୍ନ ଚିହ୍ନପରି ଦେଖାଗଲା

ପଚାରିଲା

‘‘ପାଇବ କି ଖୋଜି ତୁମେ

ଅତଳ ସାଗର ମଧ୍ୟୁଁ

ରତନର ମୀନ ?

ବନାରସୀ ଓସ୍ତାଦର

ତବଲା ତରଙ୍ଗଠାରୁ

ଅଧିକ ମଧୁର

ଅଧିକ ମନୋହର

କର୍ଣ୍ଣ ରସାୟନ ତୁମର ଘୁଙ୍ଗୁଡ଼ି ।

ନିଦ୍ରାବତୀ, ମୌନାବତୀ

କେଶବତୀ ରାଜକନ୍ୟା ତୁମେ

ରାଜପ୍ରାସାଦର କେଉଁ

ନିଭୃତ କକ୍ଷରେ

ଶାପ ସୁପ୍ତା ମାରୁଛ ଘୁଙ୍ଗୁଡ଼ି ।

ସ୍ତବ୍‌ଧ ଏ ନଗରୀ

ଶୂନ୍ୟ ରାଜପଥ

ହାତୀ, ଘୋଡ଼ା, ପରିଜନ

ବିଲେଇ କୁକୁର ସୁଦ୍ଧା ନିଦ ଭୋଳ ।

ସୃଷ୍ଟିର ପ୍ରଥମ ପ୍ରଭାତର

ଓଙ୍କାର ପରି

କେବଳ ତୁମର ଘୁଙ୍ଘୁଡ଼ି ଛଡ଼ା

ସ୍ତବ୍‌ଧ ଏ ଜଗତ ।

ଝିଲ୍ଲୀ ସୁଦ୍ଧା ସ୍ୱପ୍ନଭୋଳ

ଭୁଲିଛି ସଙ୍ଗୀତ ।

ମୁଁ ରାଜ କୁମାର ହୋଇ

ଧୀର ପଦକ୍ଷେପରେ ଆସି

ତୁମକୁ ଫୁଲଟିଏ ଶୁଙ୍ଘାଇ

ଜାଗ୍ରତ କରିବି ।

ନାଃ, ଥାଉ

ଏତେବେଳେ ତୁମେ

ସ୍ୱପ୍ନପୁରେ ହୁଏତ

ମୋର କଣ୍ଠକୁ

ଆଶ୍ଳେଷରେ ବାନ୍ଧୁଅଛ !

ଏ ଘୁଙ୍ଗୁଡ଼ି ତୁମ

ହୃଦୟ ସମୁଦ୍ର ମନ୍ଥନର

ବିଧୂନନ ମଧୂର ସଙ୍ଗୀତ ।

ସେଥିରେ ମୁଁ ବାଧା ଦେବି ନାହିଁ ।

ସେ ସମୁଦ୍ର ମନ୍ଥନରୁ

ଯେଉଁ ଅମୃତ ବାହାରିବ

ତହିଁରୁ ଗୋଟିଏ ଢୋକ ପାଇଁ

ଅପେକ୍ଷା କରି ବସିଥିବି ।

ତୁମେ ଯଦି କୁମ୍ଭକର୍ଣ୍ଣ, ରିପ୍‌ ଭାନ୍‌ଉଇଁଙ୍କଲ

ହୋଇ ଶୋଇ ରହ

ତେବେ ହୁଏତ

ଅଧିକ ଅମୃତ ବାହାରିବ ।

ଏହି କାମନା କୁସୁମ ମୋର

ତୁମ ପାଇଁ ସ୍ମେଲିଂସଲ୍‌ଟ ବିଶଲ୍ୟକରଣୀ

ଏହା ଶୁଙ୍ଘି ଜାଗିଲା ପରେ

ସେହି ଅମୃତରୁ ଢୋକେ ଦେବ ମୋତେ

ଚେତନାର ପ୍ରତିଦାନ ରୂପେ

ଯେଣୁ ତୁମେ ପ୍ରିୟତମା ମୋର ।

☆☆☆

 

ଅଗ୍ରିମ

 

ମୋର ମୃତ ଦେହ ପରେ

ତୁମେ ଦେବ ଯେତେ ପୁଷ୍ପମାଲ୍ୟ

ଅବା କୁସୁମ ସ୍ତବକ

ତହିଁରୁ କେବଳ ଗୋଟିଏ ବାସ ଫୁଲ

ଆଜିଠାରୁ ଆଗତୁରା ପାରିବ କି ଦେଇ ?

 

ମୋର ସମ୍ବର୍ଦ୍ଧନା ପାଇଁ

ଯେଉଁ ଇଟା ଟେଳା ଆଉ ଆଉ ଚଟି ଜୋତା

ଅବା ନର୍ଦ୍ଦମାର ଆବର୍ଜନା

ମୋ ଦେହେ ନିକ୍ଷେପ ପାଇଁ

ଏତେ ଆୟୋଜନ ଆଜି

ତା’ର ପୂତି ଗନ୍ଧ ସଙ୍ଗେ

ସେଇ ଆଗତୁରା ବାସଫୁଲ

ଗୋଲାପ ବା ମଲ୍ଲୀ ଅବା ରଜନୀଗନ୍ଧାର

ସୁଗନ୍ଧି ପାଏ ମୁଁ ଯଦି

ଗୋଟିଏ ଫୁଲର ସ୍ନେହ

ଶକ୍ତି ଦେବ ମୋତେ

ସହିବାକୁ ଇଟା ଟେଳା ଚଟିର ଆଘାତ ।

 

ଗଡ଼ିବ ଆଖିରୁ ତୁମ

ଯେତେ ଧାର ଲୁହ

ମୋ ମହାପ୍ରୟାଣ ପରେ

ସେଥିରୁ କେବଳ ଗୋଟାଏ ଟୋପା

ଆଜି ତୁମ ରୋଷରକ୍ତ ଭର୍ତ୍ସୁକ ନୟନେ

ଯଦି ଆଗତୁରା ଦେଖାଦିଏ

ଆଶ୍ୱସ୍ତ ହେବି ମୁଁ ତେବେ ।

 

ମୋର ମୃତ୍ୟୁ ଶୋକ ସଭାବେଳେ

ତୁମେ ଦେବ ମୋତେ ଯେଉଁ

ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି

ଶୁଣି ମୁଁ ପାରିବି ନାହିଁ ।

ମୋର ତୈଳ ଚିତ୍ର ଅବା

ମର୍ମର ମୂର୍ତ୍ତିର ଆଗେ

ଜାଳି ଧୂପବତି

ଯେବେ ଅର୍ଘ୍ୟ ଦେବ ମୋତେ

ତୁମରି ଶ୍ରଦ୍ଧାର

ବହୁଦୂରେ ଥିବି ମୁହିଁ ତେବେ ।

 

ତେଣୁ ମୋର ନମ୍ର ନିବେଦନ

ଆଜି ତୀବ୍ର ବିଷ ଦଗ୍‌ଧ

ତୁମ ବାକ୍ୟ ବାଣ ସଙ୍ଗେ

ସେଇ ଭବିଷ୍ୟତ୍‌ ଶ୍ରଦ୍ଧାର୍ଘ୍ୟରୁ

ପଦେ ମିଠା କଥା

ଟୋପାଏ ଚନ୍ଦନ

ଯଦି ପେଷିବ ମୋ ଦେହେ

ସେହି ହେବ ଜୟଟୀକା ମୋର ।

ସେଇ ହେବ ଜୀବନର ଅନ୍ତିମ ପାଥେୟ ।

☆☆☆

 

ତୁମେ କି ଫେରିବ କବି ?

 

‘ବିଶ୍ୱ ଦେଖ ମଧୁମୟ’ ଗାଇଥିଲ ଦିନେ

ଆଜି କିନ୍ତୁ ବିଶ୍ୱ ବିଷମୟ

ବିଶ୍ୱପ୍ରାଣ ସମୀରଣ କରେ ହାହାକାର

ଉଦଜାନ-ବୋମା-ଅଣୁ କ’ଣ ଭାରାକ୍ରାନ୍ତ

ଶୀତଳ ସମର ବାଷ୍ପ ଉଠେ ଚନ୍ଦ୍ରଲୋକେ

ବସୁନ୍ଧରା ଆକର୍ଷଣେ ଏଡ଼ି

ଈର୍ଷ୍ୟାର ଅନଳେ ଦହେ ମାନବ ସଭ୍ୟତା

ପତଙ୍ଗର ପରି ।

କରେ ସେ ସ୍ୱାଗତ ଅବା

ପତଙ୍ଗର ଆଗାମୀ ସଭ୍ୟତା ।

ପରିବାର ନିୟୋଜନ ଯୋଜନାରେ

ବନ୍ଧା ହୁଏ ଜନନୀର ସ୍ନେହର ତଟିନୀ

ଜାୟାର ପ୍ରଣୟ ମାୟା ବଢ଼ାଏ ସନ୍ତାପ

ସଂଶୟର ଅନ୍ଧକାରେ

ଦୁର୍ନୀତିର କାଳସର୍ପ

ମୁହୁର୍ମୁହୁ ବିବେକକୁ କରଇ ଦଂଶନ ।

କାହିଁ ତୁମେ ଆଜି ?

କାହିଁ ତୁମ ଜ୍ଞାନର ଆଲୋକ ?

କାହିଁ ତୁମ ଜ୍ଞାନ ଗଦ ?

କାହିଁ ତୁମ ଆନନ୍ଦ ପ୍ରଚକ୍ଷୁ ?

ସଭ୍ୟତାର ମଧ୍ୟାହ୍ନରେ ଈର୍ଷାରାହୁ

ଗ୍ରାସିଛି କି ଜୀବନ ରବିକୁ ?

ଅଥବା ଏ ସ୍ୱର୍ଣ୍ଣମୟ ଅସ୍ତରାଗ

ବାର୍ତ୍ତାବହ ଅମା ନିଶୀଥର ?

ଘୋଟି ଆସେ କିଛି କ୍ଷଣ ପରେ ଯଦି

ନୈରାଶ୍ୟର ଘନ ଅନ୍ଧକାର

ତୁମେ କି ଫେରିବ କବି

ହାତେ ଧରି ଜ୍ଞାନର ମଶାଲ ?

ଧ୍ରୁବ ତାରା ରୂପେ ଅବା

ଈର୍ଷା, ଦ୍ୱେଷ, ମାୟା, ମୋହ

ଘୃଣା, ଚକ୍ରାନ୍ତରୁ

ବହୁଦୂରେ, ବହୁ ଊର୍ଦ୍ଧ୍ୱେ ରହି

ଲୋକୋତ୍ତର ସଭ୍ୟତାର ଦିଗ୍‌ଦର୍ଶକ ରୂପେ

ଦେଖାଇବ ଆଶାର ସନ୍ଧାନ ।

ଗଙ୍ଗାଧରୀ ଜୟନ୍ତୀ ଉପଲକ୍ଷେ ଲିଖିତ

☆☆☆

 

ଦୁଇଟି ଦିନ–ଦୁଇଟି ଆତ୍ମା

 

ମନେ ଅଛି ପ୍ରଥମ ଦିନର ଦେଖା

ପାଞ୍ଜିରେ ହଜିଛି ଦିନ

ଲିଭିନାହିଁ ମନରୁ ଏ ଯାଏଁ ।

ବସନ୍ତର ମଳୟ ସମୀରେ

ଆମ୍ୱ ବଉଳର ମହକ ଭିତରୁ

କୋକିଳର କୁହୁତାନେ

ଶୁଣିଥିଲି ମାଆ ତୁମ ସ୍ନେହ ସମ୍ଭାଷଣ ।

ମହାନଦୀ ନୀଳ କଲ୍ଲୋଳରେ

ଫୁରୁ ଫୁରୁ ଉଡ଼ୁଥିଲା ଅଳକ ତୁମର ।

ଆକାଶରେ ନୀଳିମାରେ

ତୁମ ଦିଗନ୍ତବିସ୍ତାରୀ ଶାଢ଼ୀ

ଢାଙ୍କିଥିଲା କୋମଳ ଶରୀର ମୋର ।

ପ୍ରଭାତୀ ତାରକା ଆଉ

କେତେ ତାରା ଅଢ଼ୁଆଳୁ

ମିଟି ମିଟି ଚାହିଁ ମୋତେ

ପଲାଶ ଫୁଲର ଓଠେ

ସଫେଦ ଚାନ୍ଦିନୀ ହସ

ମୋତେ ପାଇ

ଫୁଟି ଉଠିଥିଲା ଯେବେ ମୁହଁରେ ତୁମର ।

ତା’ପରେ ଅନେକ ଦିନ

ଅମିତ ମମତା ଆଉ ଅସଂଖ୍ୟ ଚୁମ୍ୱନ ସାଥେ

ଅଗଣିତ ମାୟାର ବନ୍ଧନେ

ଘେରିଅଛ ଊର୍ଣ୍ଣସୂତ୍ରେ ହୃଦୟକୁ ମୋର ।

କେତେ ଗୀତ,

କେତେ ଛବି,

କେତେ ସ୍ୱପ୍ନ

ଅସଂଖ୍ୟ କାହାଣୀ ଆଉ ଅଗଣିତ ଗେଲ

କେତେ କଥା, ହସ, କାନ୍ଦ

ସୁଖ ଦୁଃଖ ଭରା

କେତେ କ୍ଷୀର ମଧୁ ଦେଇ,

ଆଶୀର୍ବାଦ ଦେଇ

ଜୀବନର ଯାତ୍ରା ପଥେ ପାଳିଅଛ ମୋତେ

ମହାନଦୀ ଜଳଧାରା

ମମତାର ସ୍ନେହଧାରା ଦେଇ

ମୋର ଧମନୀର ରକ୍ତ

ଅବିରାମ ନଚାଇଛ ତୁମେ

ମହାନଦୀ ଊର୍ମି ଢାଳେ

ତାଳ ଦେଇ ମୋ ହୃଦୟେ ଉଠିଅଛି

ଅସଂଖ୍ୟ ଜୁଆର ।

ଅନନ୍ତ ଯୌବନା ମାଆ ମୋର

ଆଜି କ୍ଳାନ୍ତ, ପରିଶ୍ରାନ୍ତ ମୁହିଁ ।

ସନ୍ଧ୍ୟାର ଅନ୍ଧାର ମୋର

ଘେରିଲାଣି ଆଖିପତା ମାନ ।

ବାରମ୍ୱାର ଆସୁଅଛି ହାଇ,

ପଞ୍ଜିକାରେ ଲୁଚିଥିବା ଆଉ ଏକ

ଅଜଣା ସଞ୍ଜରେ

ବିଶ୍ରାମ ଲଭିବି ଯେବେ

ତୁମରି କୋଳରେ

ଶରତର ସ୍ୱର୍ଣ୍ଣାଞ୍ଚଳେ

ଢାଙ୍କି ଦେବ ଦୁଇ ଆଖି ମୋର

ସାୟାହ୍ନର ପକ୍ଷୀର କାକଳି ଗୀତେ

ମଧୁବାତ ତାଳ ଦେଇ

ମହାନଦୀ କଲ୍ଲୋଳ ଦୋଳାରେ

ଯେବେ ଶୁଆଇବ ମୋତେ

ଆକାଶରେ ତୁଳାର ଶେଯରେ ଶୋଇ

ହସୁଥିବ ନୀଳ ଚାନ୍ଦ ।

ମିଟି ମିଟି ଚାହିଁ ଥିବେ

ଅସଂଖ୍ୟ ତାରକା

ତୁମରି କୋଳରେ ଶୋଇ

ଦେଖିବି ମୁଁ ଅମୃତ ସପନ ।

 

୧୯୭୪

☆☆☆

 

କୋହେତୁକ- ଧୂମକେତୁ ପ୍ରତି

 

ମନେ ଅଛି ସେ ସନ୍ଧ୍ୟାର ମୁଗ୍‌ଧ ପରିଚୟ

ତାରା ହଲ୍ଲୀଷକେ ତୁମେ

ଲୁଚି ଛପି ଧୂପରେଖା ପରି

କ୍ଷଣେ ମାତ୍ର ଦେଖା ଦେଇ

ଲୁଚିଗଲ ପୁଣି କେଉଁ ଦୂର ଦିଗନ୍ତରେ ।

 

କୋହେତୁକ- କି ହେତୁରେ ଆଗମନ ତବ

ବ୍ରହ୍ମାଣ୍ଡର ଏହି ଏକ ଅଜ୍ଞାତ କୋଣରେ ?

ସେ ଦିନ କି ଘେନିଥିଲ ମୋର

ନମ୍ର ନମସ୍କାର ?

ଶୁଣିଥିଲ ସ୍ୱାଗତ ଗୀତିକା ?

ଚାହିଁଥିଲ ପାଦ୍ୟ, ଅର୍ଘ୍ୟ, ନୈବେଦ୍ୟରେ

ଦେବାକୁ ମୁଁ ଆତିଥେୟ ପ୍ରୀତି ଉପହାର

ବୁଧ, ଶୁକ୍ର, ମକରର

ସେ ପାରିରେ ବିଶ୍ୱର ବାରତା

ବ୍ରହ୍ମାଣ୍ଡର ବାର୍ତ୍ତାବହ ତମ ମୁଖୁଁ

ଶୁଣିବାକୁ ବ୍ୟାକୁଳ ମୁଁ ଥିଲି ।

 

କିନ୍ତୁ

‘ଚରୈବତି’ ‘ଚରୈବତି’ ମନ୍ତ୍ର ଜପି ଜପି

ତୁମେ ମୋର ଯାଯାବର ବନ୍ଧୁ

ଅଟକିଲ ନାହିଁ ଟିକେ ହେଲେ ।

 

ସ୍ୱାଗତ ଗୀତିରେ ମୋର

ହଜିଗଲା ଲୋତକ କଣିକା ।

ହୁଏତ ଶୁଣିଛ ଗୀତ

ହୁଏତ ଦେଖିଛ ମୋର ଆଖିର ଲୋତକ ।

 

ଛ’ ଅୟୁତ ବର୍ଷ ପରେ

ଏହି ପଥେ ବୁଧ ଶୁକ୍ର ଗହଣରେ

ପୁଣି ଯେବେ ନିରେଖିବ ତୁମେ ଥରେ

ନୀଳବସନା ପୃଥିବୀ ମାଆକୁ ମୋର

ମୋର ଅଶରୀରୀ ଆତ୍ମା

ସେତେବେଳେ ଏହିଠାରୁ

ପୁଣି ଥରେ ସେହିପରି ମଧୁସ୍ୱରେ

ଜଣାଇବ ବନ୍ଧୁ ମୋର

ପ୍ରୀତି ନମସ୍କାର ।

 

ପୁଣି ସେହିପରି

ଶୁଣାଇବ ସ୍ୱାଗତ ଗୀତିକା

ପାଦ୍ୟ, ଅର୍ଘ୍ୟ, ନଇବେଦ୍ୟ ଧରି

କରିଥିବ ଆକୁଳ ପ୍ରତୀକ୍ଷା ।

 

ତୁମଠାରୁ ‘ଚରୈବତି’ ‘ଚରୈବତି’ ମନ୍ତ୍ର ଶୁଣି

ଶ୍ଳଥ ଅଙ୍ଗେ ଜାଗେ ମୋର

ପରମ ପୁଲକ

ଆଉ ଥରେ ସେ ବାର୍ତ୍ତା ଶୁଣିବା ପାଇଁ

ପୁଲକ ଲଭିବା ପାଇଁ

ଅଶରୀରୀ ଆତ୍ମା ମୋର

ସେତେବେଳେ ପୁଣି ଥରେ

ଜଣାଇବ ଅନ୍ତରର ପ୍ରୀତି ନମସ୍କାର ।

 

୧୯୭୩ ମସିହା ଡିସେମ୍ୱର ମାସରେ ଦେଖା ଦେଇଥିବା ଧୂମକେତୁ ‘କୋହେତୁକ’ ଉଦ୍ଦେଶ୍ୟରେ ଲିଖିତ । ଏହି ଧୂମକେତୁ ପୁଣି ଥରେ ଆଉ ଷାଠିଏ ହଜାର ବର୍ଷ ପରେ ଦେଖାଦେବ ।

☆☆☆

 

ନବ ବର୍ଷ

 

ହଳଦିଆ ପତ୍ର ପଡ଼େ ଝରି

ନଦୀ ବାଲି ମଧ୍ୟାହ୍ନରେ ଧୂଉ ଧୂଉ ଜଳେ

ପୁରାତନ ମାଗଇ ବିଦାୟ

ପିକ ଗାଏ ନୂତନର ସ୍ୱାଗତ ସଙ୍ଗୀତ

 

ପଲାଶ ସିନ୍ଦୂର ଦିଏ

ନବ ମଲ୍ଲୀ ଗନ୍ଧ ବହି

ଦିଗନ୍ତକୁ କରେ ସୁରଭିତ

ପାଟଳ ପଲ୍ଲବେ ଆଜି

 

ସୁସଜ୍ଜିତ ସ୍ୱାଗତ ତୋରଣ

ଜୟ ହେ ବିଷୁବ

ଜୟ ନବ ବର୍ଷ

ନବ ଆଶା ନବୀନ ଆନନ୍ଦେ ଧରି

ପଦ୍ମା ବ୍ରହ୍ମପୁତ୍ର ତୀରେ

 

ତୁମେ ଜାଳ ମୁକ୍ତିର ଆଲୋକ

ବର୍ଷେ ପୂର୍ବେ

ପଲାଶ ଫୁଲର ସଙ୍ଗେ

ଝରିଥିଲା କେତେ ଶିଶୁ ମାଂସ ପିଣ୍ଡ

ଧରଣୀ ବକ୍ଷରେ

 

କେତେ ବୃଦ୍ଧ ହଳଦିଆ ପତ୍ରପରି

ବହିଗଲେ ନିଦାଘ ଝଞ୍ଜାରେ

ଲକ୍ଷ ଲକ୍ଷ ମଲ୍ଲୀର ସୌରଭ ମଧ୍ୟେ

ପଚା ସଢ଼ା ଶବମାନ

ଆକର୍ଷଣ କରିଥିଲେ ଶାଗୁଣାଙ୍କ ପଲ ।

 

ଦାନବୀୟ ବୀଭତ୍ସତା-ଯବନୀକା ରୂପେ

ପାଟଳ ପଲ୍ଲବମାନ ନ ଥିଲେ ତ ତେବେ

ସେ ଦିନର ନିର୍ମମ ବିଷୁବ ଆଜି ସୁପ୍ତ

ପୂର୍ବ ଦିଗେ ନୂତନ ବିଷୁବ ଆଣେ

ଶାନ୍ତିର ସନ୍ଦେଶ

ମୁକ୍ତିର ସନ୍ଧାନ

ଯେଉଁ ହଳଦିଆ ପତ୍ର ଶୋଇଛନ୍ତି

ପଦ୍ମାତୀରେ କବର ଭିତରେ

ସେମାନେ ଲଭନ୍ତୁ ଶାନ୍ତି ।

 

ସେମାନଙ୍କ ପାଇଁ ଆଜି

ଆମ ଆଖିପତା ଓଦା ।

 

ହେ ନବୀନ ସୂର୍ଯ୍ୟ

ଶୁଖାଅ ଆମର ଲୁହ

ତାରୁଣ୍ୟର ଉତ୍ସାହର କଳରୋଳେ

ପୂର୍ଣ୍ଣ କର ଜୀବନ ଆମର

ପୁରାତନ ନୂତନର ଏହି କ୍ରାନ୍ତି

ହେଉ ଶୁଭଙ୍କର ।

 

୧୯୭୨ ମସିହା ଜାନୁଆରି ମାସରେ ବାଙ୍ଗଲା ଦେଶର ମୁକ୍ତିପରେ, ସେହି ବର୍ଷର ବିଷୁବ ଦିବସ ଉପଲକ୍ଷେ ପଠିତ କବିତା ।

☆☆☆

 

ବିଦାୟ ଗୀତିକା

 

ଫୁଲ ଫୁଟି ଝରିଯାଏ

ମୁହଁରେ ତା’ ଝରିପଡ଼େ

ଗଛର ମମତା ଭରା ଶିଶିର କଣିକା ।

 

ଶୋଇଲେଣି ଚାଟୁକାର ଭ୍ରମରମଣ୍ଡଳୀ

ଏଇ ରାତି ଶେଷେ ପୁଣି

ସେହି ମଧୁପାୟୀ ମାନେ

ନୂଆ ଫୁଲ କାନେ କାନେ ଗାଇବେ କବିତା ।

 

ମୌନାବତୀ ରାତି, କଥା କହ

ଜହ୍ନବଢ଼ି ହାତେ ଧରି

ମୁଁ ଯଦି ଶପଥ କରେ

‘ଭୁଲିବିନି ତୁମକୁ ମୁଁ କେବେ’ ବୋଲି

ହୁଏତ ହସିବ ଖାଲି ଅବିଶ୍ୱାସେ

କହିବନି କଥା ।

 

କିନ୍ତୁ କେତେ ଜହ୍ନ ଆଲୁଅରେ

କେତେ ଉଆଁସର ନିଭୃତ ଅନ୍ଧାରେ

ମୋର ପ୍ରେମ ଗୀତ ଆଉ ନିବିଡ଼ ଆଶ୍ଳେଷ

ସ୍ୱପ୍ନ ଆଉ ମାଦକତା ଭରା

ସେ ସବୁ କି ମିଛ ? ସବୁ କାୟା ?

ଦୁର୍ବଳ ଏ ବାହୁର ବନ୍ଧନେ

ପ୍ରେମ ଯମୁନାକୁ ମୁହିଁ ପାରନ୍ତି କି ରୋଧି ?

ତେଣୁ ଗାଏଁ ବିଦାୟ ଗୀତିକା

ନୀରବରେ ଶୁଣିଯାଅ ।

 

କାଲି ତୁମେ ଯିବ ମିଶି ଅଗାଧ ସାଗରେ ।

ବିଦାୟ ପୂର୍ବରୁ

ମୋର ଅଶ୍ରୁମୂଲ୍ୟ ଦେଇ

ମାଗେଁ ଟିକେ ହସ

ଟିକିଏ ମମତା

ଆଗାମୀ ବରଷ ପାଇଁ

ସେଇ ହସଟିକ ମୋର

ହୋଇବ ପାଥେୟ ।

 

୧.୧.୭୭ ମଧ୍ୟରାତ୍ରିର କବିତା

☆☆☆

 

କୋଣାର୍କର ଘୋଡ଼ା

 

ନିକିତିର ଏକ ପାଖେ ପୁଅ ମୁଣ୍ଡ

ଆର ପାଖେ ବାରଶ ବଢ଼େଇ

କାହାର ଓଜନ ବେଶି

ଏଣେ ଢୋକେ ପୂର୍ଣ୍ଣତାର ସୁଧା

ତେଣେ ବହେ ବ୍ୟର୍ଥତାର ହାହାକାର ଧାର ।

ମୁଣ୍ଡିମାରି, ପାଷାଣ କାବ୍ୟରେ

ପୂର୍ଣ୍ଣତାର ଶେଷ ପୂର୍ଣ୍ଣଚ୍ଛେଦ ଦେଇ

ଅଭ୍ରଭେଦୀ ମନ୍ଦିର ଚୂଡ଼ାରୁ

ଧରମା ଚାହିଁଲା ଯେବେ

ମହୋଦଧି ଅତଳ ଗର୍ଭକୁ

କାଳ ଓ କଳା ପାହାଡ଼

ଉଠିଥିଲେ ଅଟ୍ଟହାସ୍ୟ କରି

ଫେନଚୂଡ଼ ସାଗର ବକ୍ଷରୁ ।

ନିକିତି ତଉଲ ସାନ ବଡ଼କୁ

ଯେହୁ ବଡ଼ ସେହୁ ଯାଏ ତଳକୁ ।

ବଡ଼ ତେଣୁ ତଳେ ଗଲା

ପୂର୍ଣ୍ଣ ତେବେ ଶୂନ୍ୟ ହେଲା ।

ସେ ରାତିର ଅନ୍ଧକାରେ

ଆକାଶରୁ ଖସିଥିଲା ଗୋଟେ ତାରା ।

ଦେଉଳ ଚୂଳରୁ

ଖସିଥିଲା ସେହି ରାତି ପ୍ରତିଭାର ମୁଣ୍ଡି ।

ଝାଉଁବଣ ଦେଇ କେତେ

ଖେଳିଥିଲା ସେ ରାତିର ମୌନ ହାହାକାର ।

ଶୂନ୍ୟତାର ଜୟଗାନ

ମାୟାର ବିଜୟ

ଅପୂର୍ଣ୍ଣତାର ହର୍ଷ ଧ୍ୱନି

ଲହରୀର ତାଳେ

ଶୁଭୁଥିଲା ଅନ୍ଧାର ରାତିରେ ।

ଯେଉଁ ଶିଳ୍ପୀ ଗଢ଼ିଥିଲା

କୋଣାର୍କର ଘୋଡ଼ା

ଉଦ୍ଦାମ ବୀରର ଦେହେ

ଫୁଙ୍କିଥିଲା ସଞ୍ଜୀବନୀ ମନ୍ତ୍ର

ସେ ରାତିରେ ସେ ମଧ୍ୟ ଦେଖିଲା ସ୍ୱପ୍ନେ

କଳାପାହାଡ଼ର ଛାଇ ।।

ଜଣେ ମୁଣ୍ଡିମାରେ

କେତେ ସ୍ୱପ୍ନ ଦେଇ ଆଙ୍କେ ପୂର୍ଣ୍ଣତାର ଛବି

ଆଉ ଜଣେ ମୁଣ୍ଡ କାଟେ ।

କୋଣାର୍କର ଘୋଡ଼ା

କବନ୍ଧ ପାଖରେ ପଥର ପାଲଟେ ।।

ଦେବତ୍ୱ ଓ ମରଣ ମଝିରେ

କେବଳ ଟିକିଏ ହାଓ୍ୱା

ଧରମା ଓ ବାରଶ ବଢ଼େଇ ମଝିରେ

କେବଳ ଟିକିଏ ମାୟା

କୋଣାର୍କର ଘୋଡ଼ା ଆଉ କବନ୍ଧ ମଝିରେ

କେବଳ ପୁଳାଏ ଆହା ।।

ମାଟିର ମଣିଷ

ସେଇ ହାଓ୍ୱା

ସେଇ ମାୟା

ସେଇ ଆହାକୁ ଗୋଟେଇ

ଇତିହାସର ପେଡ଼ିରେ ସାଇତି ରଖେ ।

 

୧୯୭୫ ଅକ୍ଟୋବର

☆☆☆

 

ପୁଷ୍‌ ପୁନି

 

ମଲି ଫୁଲିଆ ଜନକ୍‌ ରାତି

ସାରାରାତି ହଲିଆ ଗୀତ ଗାଇ ଗାଇ

ମାଡ଼େନର ମେରୁ ଖମର୍‌

ଚାରିଆଡ଼େ

କିନ୍ଦରି କିନ୍ଦରି ଅଠା ମୁଇଁ ।।

 

ଆଏଜ ପୁଷ୍‌ ପୁନି

କେତେ-ଧାନେ ମୋର କେତେ ପୋଲ୍‌

କେତେ ଭୂତି କେତେ ନିସ୍ତାର୍‌

ସାହୁକାରର ହିସାବ୍‌ କିତାବ୍‌

କେତେ ହେବା କାଣା ହେବା

ସବୁ ଆଝିର୍‌ ଜନା ପଡ଼୍‌ବା ।

 

କାର୍‌ ଘରେ ପୁଷ୍‌ ମାସ୍‌

କାର୍‌ ଘରେ ସତ୍ୟାନାଶ୍‌

କାର୍‌ ଘରେ ପିଠାମଡ଼ା

କିଏ ମାଗୁଛେ ଛେର୍‌ ଛେରା

 

ସାହକାର୍‌ନେ

ସବୁ ହିସାବ ଅଛେ ।

 

୧୯୭୮ ପୁଷ୍‌ପୁନି

Image